ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାବି : କହିଲେ, ଦେଶର ଅକ୍ସିଜେନ୍ ପ୍ଲାଂଟକୁ ନିୟନ୍ତ୍ରଣକୁ ନେଉ ସେନା

ଅକ୍ସିଜେନ ଅଭାବ ଦେଖାଦେଲେ କାହାକୁ ଜଣାଇବେ ବୋଲି କଲେ ପ୍ରଶ୍ନ; ବୈଠକରେ ରାଜନୀତି କରୁଥିବା କେନ୍ଦ୍ରର ଅଭିଯୋଗ

954

କନକ ବ୍ୟୁରୋ : ୧୦ଟି ସର୍ବାଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନାର ଦ୍ରୁତ ସଂକ୍ରମଣ ଓ ହସ୍ପିଟାଲ ବେଡରୁ ଆରମ୍ଭ କରି ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଅଭିଯୋଗ ଭିତରେ ସ୍ଥିତିର ସମୀକ୍ଷା କରିଛନ୍ତି ମୋଦି । ତେବେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଚର୍ଚ୍ଚାବେଳେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶରେ ଅକ୍ସିଜେନ୍ ପ୍ଲାଂଟଗୁଡିକୁ ସେନା ନିଜ ନିୟନ୍ତ୍ରଣକୁ ନେବା ଦରକାର ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

ସେହିପରି ଦିଲ୍ଲୀର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଅକ୍ସିଜେନ କୋଟା ବୃଦ୍ଧି କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତଥାପି ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ । ସେହିପରି ଅକ୍ସିଜେନର ଅଭାବ ଦେଖାଦେଲେ ଓ ଜରୁରିକାଳୀନ ସ୍ଥିତିର ମୁକାବିଲା ପାଇଁ ତୁରନ୍ତ ଅକ୍ସିଜେନ ଆବଶ୍ୟକ ପଡିଲେ ସେ କେନ୍ଦ୍ରରେ କାହାକୁ ଫୋନ କରି ଜଣାଇବେ ବୋଲି ବୈଠକରେ ପ୍ରଶ୍ନ କରିଛନ୍ତି । ଏପରିକି ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକକୁ ଅନ୍ୟ ରାଜ୍ୟରେ ଅଟକାଇ ଦିଆଗଲେ କାହାକୁ ଆପତି କରିବେ ବୋଲି ପଚାରିଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ କେଜ୍ରିୱାଲ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସେହିପରି ବୈଠକରେ କଣ ଆଲୋଚନା ହେଲା ତାକୁ ସାର୍ବଜନୀନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାର ଗୋପନୀୟତା ନିୟମକୁ ଉଲ୍ଲଂଘନ କରିଛନ୍ତି । କେନ୍ଦ୍ରର ଏଭଳି ଆପତି ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।