କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ଗୁରୁବାର ଇଡିରେ ହାଜର ହୋଇନାହାନ୍ତି ମୁଖ୍ୟମନ୍ତ୍ରୀ । ଇଡି ପଠାଇଥିବା ନୋଟିସର ପାଲଟା ଜବାବ ଦେଇଛନ୍ତି କେଜ୍ରିୱାଲ । ନୋଟିସକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବେଆଇନ୍ ବୋଲି ସେ କହିଛନ୍ତି । କେଜ୍ରିୱାଲଙ୍କୁ ସମନ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ସବୁ ପ୍ରମାଣ ସଂଗ୍ରହ କରିଥିଲା । କିନ୍ତୁ ଏବେ ସେ ଇଡିର ନୋଟିସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି,
- ନୋଟିସ୍ ସମ୍ପୂର୍ଣ୍ଣ ଭାବେ ବେଇଆନ୍
- ନୋଟିସ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
- ବିଜେପି କହିବା ଆଧାରରେ ପଠାଯାଇଛି ନୋଟିସ୍
- ୪ ରାଜ୍ୟରେ ପ୍ରଚାର ରୋକିବା ପାଇଁ ନୋଟିସ୍
- ତୁରନ୍ତ ପ୍ରତ୍ୟାହାର କରାଯାଉ ନୋଟିସ୍

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନୋଟିସ୍ ପଠାଯିବା ନେଇ ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । କହିଛି, ବିଜେପି ଇସାରାରେ କାମ କରୁଛି ଇଡି । ଏମିତି କରି ବିଜେପି, ଆପ୍ ଦଳକୁ ଶେଷ କରିଦେବାକୁ ପ୍ରୟାସ କରୁଥିବା କହିଛି ।

ସେପଟେ ଇଡିରେ ହାଜର ନହେବା ନେଇ କେଜ୍ରିୱାଲଙ୍କ ଉପରେ ଖୁବ୍ ବର୍ଷିଛି ବିଜେପି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଯଦି ଅରବିନ୍ଦ କେଜ୍ରିୱାଲ କିଛି ଭୁଲ୍ କରିନାହାନ୍ତି, ତାହେଲେ କାହିଁକି ଡରୁଛନ୍ତି? ନିଜକୁ ସଚ୍ଚୋଟ ବୋଲି କହୁଥିବା କେଜ୍ରିୱାଲ କାହିଁକି ଇଡିର ନୋଟିସକୁ ଡରୁଛନ୍ତି? ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଉପରେ କାହାର ଭରସା ନାହିଁ । ଅରବିନ୍ଦ କେଜ୍ରିୱାଲ ଆଦୌ ସଚ୍ଚୋଟ ନୁହଁନ୍ତି, ସେ ଜଣେ କଟ୍ଟର ବେଇମାନ୍ ବୋଲି ସମ୍ବିତ ଅଭିଯୋଗ କରିଛନ୍ତି ।

ଇଡିର ସମନକୁ କେଜ୍ରିୱାଲଙ୍କ ଜବାବ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ପରବର୍ତୀ ପଦକ୍ଷେପ କ’ଣ ହେବ?
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ସମନ୍ କରିପାରେ ଇଡି
- ହାଜର ନହେଲେ ପୂରା ଶକ୍ତି ଲଗାଇପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
- ସମନ୍ ସତ୍ତେ୍ୱ ହାଜର ନହେବାରୁ ହେବ କି ଗିରଫଦାରୀ?
- ସମନ୍କୁ ଚ୍ୟାଲେଞ୍ଜ ଦେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି କେଜ୍ରିୱାଲ
- ଆଗୁଆ ଜାମିନ ପାଇଁ ଆବେଦନ କରିପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ସେପଟେ ଇଡିରେ ହାଜର ନହୋଇ ମଧ୍ୟପ୍ରଦେଶରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେଠାରେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।