କୃଷକ ଆନ୍ଦୋଳନକୁ କେଜ୍ରିୱାଲଙ୍କ ସମର୍ଥନ । କହିଲେ କେନ୍ଦ୍ର ଆଣିଥିବା ନୂତନ କୃଷି ବିଲ୍ କୃଷକ ବିରୋଧୀ । ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାର ଅଧିକାର କୃଷକଙ୍କର ରହିଛି

207

କନକ ବ୍ୟୁରୋ : ନୂତନ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଲିଥିବା ଆନ୍ଦୋଳନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିୱାଲ ସମର୍ଥନ ଜଣାଇଛନ୍ତି । ସେ ଟ୍ୱିଟ୍ କରି କୃଷକ ମାନଙ୍କର ଦାବିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କି କେନ୍ଦ୍ରସରକାର ଯେଉଁ ନୂତନ କୃଷିବିଲ୍ ଆଣିଛନ୍ତି ତାହା କୃଷକ ବିରୋଧୀ । ଏଭଳି ବିଲ୍ କୁ ପ୍ରତ୍ୟାହାର କରିବା ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା କୃଷକ ମାନଙ୍କ ଉପରେ ଜୁଲୁମ୍ କରିବା ସରକାର ବନ୍ଦ କରନ୍ତୁ । ଆନ୍ଦୋଳନକୁ ଆସୁଥିବା କୃଷକ ମାନଙ୍କ ଉପରେ ପାଣିମାଡ କରିବାକୁ ସେ ଘୋର ନିନ୍ଦା କରିଛନ୍ତି । ଏହା ଏକ ଗଣାତାନ୍ତ୍ରିକ ପଦ୍ଧତିରେ ବଛା ଯାଇଥିବା ଏକ ସରକାରର କାମ ନୁହେଁ ବୋଲି ସେ କହିଛନ୍ତି ।
କହିରଖୁ କି କଂଗ୍ରେସ ଶାସିତ ପଞ୍ଜାବରୁ ହଜାର ହଜାର କୃଷକ ଆନ୍ଦୋଳନ ପାଇଁ ଆସି ହରିଆଣା ସୀମାରେ ପହଂଚିଛନ୍ତି । ସେମାନେ ଦିଲ୍ଲୀ ଆସିବାକୁ ଚାହୁଁଥିବା ବେଳେ ସେଠି ପୋଲିସ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲା । ହେଲେ କୃଷକ ମାନେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢୁଛନ୍ତି । ଏହି କୃଷକ ରାଲିରେ ଥିବା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ପୋଲିସ ହେପାଜତକୁ ନେଇଛି । ପଞ୍ଜାବ ବ୍ୟତିତ ଉତରାଖଣ୍‌ଡ, ରାଜସ୍ଥାନ, ହରିଆଣା, କେରଳ ଓ ଉତ୍ତରପ୍ରଦେଶର କୃଷକ ମାନେ ଏହି ରାଲିରେ ସାମିଲ ହୋଇଛନ୍ତି । ସେମାନେ ଦିଲ୍ଲୀରେ ପହଂଚି ଆଜି ଓ ଆସନ୍ତାକାଲି ବିରୋଧ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।