ସରଗରମ ରାଜଧାନୀ ରାଜନୀତି । ଆସନ୍ତାକାଲି ଗୋଟାଏ ସୁଦ୍ଧା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ ।

282

କନକ ବ୍ୟୁରୋ : ରୋଚକ ମୋଡରେ ରାଜଧାନୀ ରାଜନୀତି । ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ମୈଦାନକୁ ଓହ୍ଲାଇବାର ୨୪ ଘଂଟା ଭିତରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି ଆମ ଆଦମି ପାର୍ଟି । ଏହାସହ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇ ୫ ଫେବ୍ରୁଆରୀ ସୁଦ୍ଧା ବିଜେପି ଦିଲ୍ଲୀରେ ତାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରୁବୋଲି କହିଛନ୍ତି ଆପ୍ ମୁଖ୍ୟ । ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ପ୍ରଚାର ମଙ୍ଗ ଧରିବା ପରେ ଦିଲ୍ଲୀ ଲଢେଇ ମୋଦି ବନାମ କେଜ୍ରିୱାଲରେ ପରିଣତ ହୋଇଛି । ସେପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ଭୁମିକାକୁ ଦେଖିଲେ ଦଳ ତୃତୀୟ ପ୍ରତିଯୋଗୀ ପରି ମନେ ହେଉଛି ।

ରୋଚକ ମୋଡରେ ପହଞ୍ଚିଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର । ସବୁଠାରୁ ବଡକଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ମୈଦାନକୁ ଓହ୍ଲାଇବାର ୨୪ ଘଂଟା ଭିତରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି ଆମ ଆଦମି ପାର୍ଟି । ଦିଲ୍ଲୀବାସୀଙ୍କ ଆଗରେ ଦଳର ପ୍ରତିଶ୍ରୁତି ରଖିଲାବେଳେ ବିଜେପିର ଅତି ଦୁର୍ବଳ ସ୍ନାୟୁକୁ ଧରିପକାଇଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । କୁହାଯାଉଛି ଏହି ଗୋଟିଏ ପ୍ରସଙ୍ଗରେ ୨୦୧୫ରେ ବିଜେପିକୁ ଧୁଳି ଚଟାଇବାରେ ସମର୍ଥ ହୋଇଥିଲା ଆମ ଆଦମି ପାର୍ଟି । ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆପ ମୁଖ୍ୟ କହିଛନ୍ତି, ୫ ଫେବ୍ରୁଆରୀ ସୁଦ୍ଧା ବିଜେପି ଦିଲ୍ଲୀରେ ତାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରୁ । ସମସ୍ତ ପ୍ରସଙ୍ଗରେ ତାଙ୍କ ସହ ସେ ବିତର୍କ କରିବାକୁ ପ୍ରସ୍ତୁତ ଅଛନ୍ତି ।

୨୦୧୫ ନିର୍ବାଚନରେ ବିଜେପିର ଦିଲ୍ଲୀ ଚେହେରା ଥିଲେ ଆଇପିଏସ କିରଣ ବେଦୀ । କେନ୍ଦ୍ରରେ କ୍ଷମତାରେ ଥାଇ ସୁଦ୍ଧା କିରଣ ବେଦୀଙ୍କୁ ସାମ୍ନାକୁ କରି ଦିଲ୍ଲୀ ଦଖଲ କରିପାରିଲା ନାହିଁ ଭାରତୀୟ ଜନତା ପାର୍ଟି । କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ଫେଲ ମାରିଲା ମୋଦି ମ୍ୟାଜିକ । ବିଧାନସଭାର ମୋଟ୍ ୭୦ ଆସନରୁ ୬୭ଟିରେ ବାଜିମାତ କଲା ଆମ ଆଦମି ପାର୍ଟି । ୨୦୧୪ ପରି ବର୍ତମାନ ସ୍ଥିତି । ପୁଣି ୨୦୧୯ରେ ବିପୁଳ ଜନାଦେଶ ସହ କେନ୍ଦ୍ରରେ କ୍ଷମତାରେ ରହିଛି ବିଜେପି । ହେଲେ ଦିଲ୍ଲୀରେ ଦଳ ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ନଆଣିବା ପ୍ରତିପକ୍ଷଙ୍କ ପାଇଁ ଟାର୍ଗେଟ କରିବାକୁ ବଡ ମୌକା ଦେଇଛି । ନିର୍ବାଚନୀ ପ୍ରଚାରର ପ୍ରଥମ ଦିନରୁ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଲ୍ଲୀ ନିର୍ବାଚନର ବଡ ଚେହେରା ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ଏବେ ଖୋଦ ପ୍ରଧାନମନ୍ତ୍ରୀ ପ୍ରଚାର ମଙ୍ଗ ଧରିବା ପରେ ଦିଲ୍ଲୀ ଲଢେଇ ମୋଦି ବନାମ କେଜ୍ରିୱାଲରେ ପରିଣତ ହୋଇଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ଭୁମିକାକୁ ଦେଖିଲେ ଦଳ ତୃତୀୟ ପ୍ରତିଯୋଗୀ ପରି ମନେ ହେଉଛି । ଦିଲ୍ଲୀ କଂଗ୍ରେସର ଲୋକପ୍ରିୟ ଚେହେରା ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦଳ ଲଗାତର ତିନି ତିନିଥର ଏହିଠାରେ କ୍ଷମତାରେ ଥିଲା । ତାଙ୍କୁ ହିଁ ଗାଦିଚ୍ୟୁତ କରି କ୍ଷମତା ଦଖଲ କିରିଥିଲେ ଆନ୍ନା ଆନ୍ଦୋଳନରୁ ରାଜନୀତିକୁ ପ୍ରବେଶ କରିଥିବା କେଜ୍ରିୱାଲ । ତେଣୁ କେଜ୍ରିୱାଲଙ୍କୁ ଗାଦିଚ୍ୟୁତ କରିବା ସହ ବିଜେପିର ଗତିରୋଧ କରିବା କଂଗ୍ରେସ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ । ନିଯୁକ୍ତି, ଦିଲ୍ଲୀବାସୀଙ୍କୁ ସାଧାରଣ ମୌଳିକ ସୁବିଧା ଓ ଧର୍ମ ନାଁରେ ହେଉଥିବା ଭୋଟ ଧୃବୀକରଣକୁ ପ୍ରସଙ୍ଗ କରି ମୋଦି ଓ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

କେଜ୍ରିୱାଲ ବନାମ ମୋଦି ବନାମ ରାହୁଲ । ଦିଲ୍ଲୀ ପ୍ରଚାର ମୈଦାନରେ ହେଭିୱେଟଙ୍କ ପ୍ରଚାର ପରେ ଲଢେଇ ସରଗରମ ହୋଇଛି । ଗତ ୫ ବର୍ଷରେ ଆପ ସରକାରଙ୍କ ଉପଲବ୍ଧି ଆଧାରରେ ଆଗାମୀ ୮ ତାରିଖରେ ପଡିବାକୁ ଯାଉଛି ଭୋଟ୍ । କେଜ୍ରିୱାଲଙ୍କ ବିଫଳତାକୁ ପ୍ରସଙ୍ଗ କରି ଦିଲ୍ଲୀରେ କ୍ଷମତାକୁ ଫେରିବା ଆଶା ବାନ୍ଧିଛି ବିଜେପି । ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି ଫେବ୍ରୁଆରୀ ୧୧ରେ କଣ ଫଳାଫଳ ଆସିବ ତାହା ଜଣାପଡିଯାଉଛି । ସେପଟେ ରାଜ୍ୟରେ ଆପର ବିଫଳତା ଓ କେନ୍ଦ୍ରରେ ବିଜେପିର ଭୋଟ ଧୃବୀକରଣ ପ୍ରୟାସର ପ୍ରଭାବ ଦିଲ୍ଲୀବାସୀ ଦେବେ ବୋଲି କଂଗ୍ରେସର ଆଶା । କଂଗ୍ରେସ ୱାଲୀ ଦିଲ୍ଲୀର ନାରା ଦେଇଛନ୍ତି ରାହୁଲ ଗାନ୍ଧୀ ।