ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ପରେ ସିବିଆଇ କଲା ଗିରଫ । କୋର୍ଟରେ ଶୁଣାଣି ସମୟରେ କେଜ୍ରିୱାଲ ଅସୁସ୍ଥ ସୂଚନା

268

କନକ ବ୍ୟୁରୋ : ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ସମୟରେ ନ୍ୟାୟିକ ହେପାଜତରେ ରହିଛନ୍ତି । ଏହାରି ଭିତରେ ସିବିଆଇ ମଧ୍ୟ ତାଙ୍କୁ ଗିରଫ କରିଛି । ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ସିବିଆଇ କେଜ୍ରିୱାଲଙ୍କୁ ଦିଲ୍ଲୀର ରାୱଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଯେଉଁଠାରେ ସିବିଆଇ ଆମ୍ ଆଦମୀ ପାର୍ଟି ମୁଖ୍ୟଙ୍କୁ ପଚରାଉଚରା କରିବା ପାଇଁ ତାଙ୍କୁ ହେପାଜତରେ ନେବାକୁ ଅନୁରୋଧ କରିଥିଲା । ଶୁଣାଣି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ଲଡ ସୁଗାର କମି ପାଇଛି । ରାୱସ ଆଭେନ୍ୟୁ କୋର୍ଟରେ ଶୁଣାଣି ବେଳେ ସିବିଆଇ କେଜ୍ରିୱାଲଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ମଙ୍ଗଳବାର ସନ୍ଧ୍ୟାରେ ତିହାର ଜେଲରେ କେଜ୍ରିୱାଲଙ୍କୁ ସିବିଆଇ ଅଧିକାରୀମାନେ ପଚରାଉଚରା କରିଥିଲେ । କେଜ୍ରିୱାଲଙ୍କ ଏକ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବା ବେଳେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଏବେ କେଜ୍ରିୱାଲ ତାଙ୍କ ଆବେଦନକୁ ମଧ୍ୟ ପ୍ରତ୍ୟାହାର କରିଛନ୍ତି । ଦିଲ୍ଲୀର ଏକ ନିମ୍ନ ଅଦାଲତ ଜୁନ୍ ୨୦ରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହା ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ଇଡି କେଜ୍ରିୱାଲଙ୍କ ଜାମିନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଯାହାର ଶୁଣାଣି ପରେ କୋର୍ଟ ଜାମିନ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ରାୱଜ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲ ଗିରଫ ହେବା ପରେ ଶୁଣାଣି ଆରମ୍ଭ ହୋଇଥିଲା । କେଜ୍ରିୱାଲଙ୍କ ଗିରଫ ମେମୋ କୋର୍ଟଙ୍କୁ ଦେଇଛି ସିବିଆଇ । ସିବିଆଇ ଅଧିକାରୀମାନେ କୋର୍ଟଙ୍କୁ କହିଛନ୍ତି ଯେ ସେମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି ।