ରାଜଧାନୀରେ ଉପୁଜିପାରେ ବିଦ୍ୟୁତ ସମସ୍ୟା । କୋଇଲା ସଙ୍କଟ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ କେଜ୍ରିୱାଲ ।

105

କନକ ବ୍ୟୁରୋ : ରାଜଧାନୀରେ ଉପୁଜିପାରେ ବିଦ୍ୟୁତ ସମସ୍ୟା । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ରାଜଧାନୀରେ କୋଇଲା ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋଇଲା ଅଭାବ ଯୋଗୁଁ ଆଗାମୀ ଦିନରେ ଏନସିଟିକୁ ପାୱାର ଯୋଗାଉଥିବା ବିଦ୍ୟୁତ ଉତ୍ପାଦନ କାରଖାନାକୁ ପ୍ରଭାବିତ କରିବ ବୋଲି କେଜ୍ରିୱାଲ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ସମାଧାନ କରିବା ଆବଶ୍ୟକ ବୋଲି ଚିଠି ଦ୍ୱାରା ଅନୁରୋଧ କରିଛନ୍ତି ଆପ୍ ମୁଖ୍ୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜେ ଏ ଘଟଣା ଉପରେ ନଜର ରଖିବା ସହ ଦିଲ୍ଲୀ ସରକାରଙ୍କ ତରଫରୁ ଏ ଅସୁବିଧାକୁ ଦୂରେଇବାକୁ ସବୁପ୍ରକାର ଜରୁରୀ ପଦକ୍ଷେପ ନିଆଯିବ ବୋଲି ରାଜଧାନୀବାସୀଙ୍କ ଉଦ୍ଦେଶ୍ୟରେ କେଜ୍ରିୱାଲ ଟୁଇଟ ଯୋଗେ କହିଛନ୍ତି । ଦେଶରେ ଅନେକ ସମୟରେ ବିଦ୍ୟୁତ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବାବେଳେ ଦିଲ୍ଲୀ ସରକାରଙ୍କ ତରଫରୁ ସାଧାରଣ ଜନତାଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦିଆଯାଉଛି ।