କନକ ବ୍ୟୁରୋ : ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ନେତା ଓ ମନ୍ତ୍ରୀ । ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଆଜି ସକାଳେ କେଜ୍ରିୱାଲଙ୍କ ଘରକୁ ଯାଇପାରେ ଇଡି । ଏହା ସହ ତାଙ୍କୁ ଗିରଫ କରିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍ କାର୍ଯ୍ୟାଳୟ ଆଗରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଦିଲ୍ଲୀ ମଦ ନୀତି ସ୍କାମ ମାମଲାରେ କେଜ୍ରିୱାଲଙ୍କୁ ତିନି ଥର ସମନ କରାଯାଇଛି । ହେଲେ ଏହା ପରେ ବି ହାଜର ହୋଇନାହାନ୍ତି କେଜ୍ରିୱାଲ । ହାଜର ନହୋଇ ଗତକାଲି ଇଡିକୁ ଚିଠି ଲେଖିଥିଲେ କେଜ୍ରିୱାଲ । କହିଥିଲେ ଜାନୁଆରୀ ୧୯ରେ ରାଜ୍ୟସଭା ନିର୍ବାଚନ ଅଛି ଏବଂ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ମଧ୍ୟ କରିବାର ଅଛି । ତେଣୁ ଯାହା କିଛି ପଚାରିବାକୁ ଚାହୁଁଛନ୍ତି ଚିଠିରେ ଲେଖି ଦିଅନ୍ତୁ ବୋଲି ଲେଖିଥିଲେ କେଜ୍ରିୱାଲ । ସେପଟେ ଆଜିଠାରୁ ଦିଲ୍ଲୀରେ ‘ମେଁ ଭି କେଜ୍ରିୱାଲ’ କ୍ୟାମ୍ପେନ ଆରମ୍ଭ ହେବାକୁ ଯାଉଛି ।