କେଜ୍ରିୱାଲଙ୍କ ପଞ୍ଜାବ ମିଶନ । କହିଲେ, ରାଜ୍ୟରେ ସରକାରକୁ ଆସିଲେ ସମସ୍ତଙ୍କୁ ମିଳିବ ଚାକିରି ।

213

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଖେଳିଛନ୍ତି ବଡ କାର୍ଡ । ଯଦି ଚଳିତ ନିର୍ବାଚନରେ ପଞ୍ଜାବରେ ଆପ୍ ସରକାର ଗଠନ କରେ ତେବେ ସେଠାକାର ସମସ୍ତ ଲୋକଙ୍କୁ ଚାକିରି ମିଳିବ ବୋଲି କେଜ୍ରିୱାଲ କହିଛନ୍ତି । ବୁଧବାର ଜଳନ୍ଧରରେ ଅରବିନ୍ଦ କେଜ୍ରିୱାଲ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି , ଯଦି ପଞ୍ଜାବରେ ଆପ୍ ସରକାର ଗଠନ ହୁଏ ତେବେ ରାଜ୍ୟର ପ୍ରତିଟି ଲୋକକୁ ଚାକିରି ମିଳିବ । ଖାଲି ସେତିକି ନୁହେଁ ପଞ୍ଜାବବାସୀଙ୍କ ପ୍ରଶଂସା କରି ସେ କହିଛନ୍ତି, ଏଠାକାର ଲୋକ ବ୍ୟାପାରରେ ସବୁଠୁ ଆଗୁଆ, ପଞ୍ଜାବର କଥା ସାରା ଦୁନିଆରେ ଶୁଣିବାକୁ ମିଳେ ।

ଜଳନ୍ଧରର ଟାଉନ ହଲରେ ବ୍ୟବସାୟୀ ଓ ଉଦ୍ୟୋଗପତିମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଜ୍ରିୱାଲ କହିଛନ୍ତି, ସେ ପଞ୍ଜାବରେ ବେରୋଜଗାରୀ ଦୂର କରିବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ବ୍ୟବସାୟୀ ଓ ଉଦ୍ୟୋଗପତିଙ୍କ ସାହାଯ୍ୟ ତାଙ୍କୁ ଦରକାର । ତେବେ ସରକାରକୁ ଆସିବା ପରେ ସେଠାରେ ସେ ପ୍ରଥମେ ଗୁଣ୍ଡାଙ୍କ ଟ୍ୟାକ୍ସ ଓ ବଟି ଆଦାୟକୁ ବନ୍ଦ କରିବେ ବୋଲି କହିଛନ୍ତି ।

ତା ସହିତ କେଜ୍ରିୱାଲ କହିଛନ୍ତି, ସେଠାକାର ଇଣ୍ଡଷ୍ଟ୍ରୀରେ ଏବେ ମନ୍ତ୍ରୀମାନେ ପାର୍ଟନର ହୋଇଛନ୍ତି । ଯାହା ଫଳରେ ସେଠାରେ ବ୍ୟବସାୟ ବନ୍ଦ ହେବାକୁ ବସିଲାଣି । ହେଲେ ଆପ୍ ସରକାର ପଞ୍ଜାବରେ ଆସିଲେ ସରକାରଙ୍କ ସାହାଯ୍ୟରେ ବ୍ୟବସାୟୀମାନେ ବ୍ୟାପାର କରିବେ, ଏବଂ ବ୍ୟବସାୟୀମାନଙ୍କର ରୋଜଗାର ବଢିବ ।

ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅଛି । ଯେଉଁଠି ସରକାର ଗଠନ ପାଇଁ କଂଗ୍ରେସ କଡା ଉଦ୍ୟମ କରୁଛି । ସେପଟେ ବିଜେପି ମଧ୍ୟ ପଞ୍ଜାବରେ ଫୁଲ ଫୁଟାଇବାକୁ ଜୋରଦାର କସରତ କରୁଛି । ଆଉ ଏହାରି ଭିତରେ ଆମ୍ ଆଦମୀ ପାର୍ଟି ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ଏଥର ବିଧାନସଭାରେ ସରକାର ଗଠନ କରିବାକୁ ଗେମ୍ ପ୍ଲାନ୍ ପ୍ରସ୍ତୁତ କରୁଛି ।