ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ବଡ ବିଜୟ: ଏଣିକି ପ୍ରଶାସନିକ ଅଧିକାରୀଙ୍କ ଉପରେ ରହିବ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ

1,415

କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧରେ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଶାସନିକ ସେବା ନିୟନ୍ତ୍ରଣ କ୍ଷମତାର ଅଧିକାର ଦିଲ୍ଲୀ ସରକାରଙ୍କୁ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ପ୍ରଧାନବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରମିକୋର୍ଟଙ୍କ ଏହି ରାୟ ପରେ ଏହା ସ୍ପଷ୍ଟ ହୋଇଛି ଏଣିକି ଏଲଜି ନୁହେଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀର ପ୍ରକୃତ ବାଦଶାହା ।

ଦିଲ୍ଲୀରେ କେଜ୍ରିୱାଲ ସରକାର ଓ କେନ୍ଦ୍ର ମଧ୍ୟରେ ପ୍ରଶାସନିକ ସେବା ନିୟନ୍ତ୍ରଣ କ୍ଷମତାକୁ ନେଇ ଚାଲିଥିବା ବିବାଦ ଉପରେ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ଏହି ରାୟ ଏବେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଯାଇଛି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପିଠ ଏହି ମାମଲାର ଶୁଣାଣି କରି ଶୁଣାଇଛନ୍ତି ସୁପ୍ରିମରାୟ । ଏଣିକି ରାଜ୍ୟରେ ପ୍ରଶାସନିକ କ୍ଷେତ୍ରରେ ପ୍ରକୃତ କ୍ଷମତା ଅଧିକାର କେବଳ ରାଜ୍ୟ ସରକାରଙ୍କ ପାଖରେ ରହିବ । ତେଣୁ ସମସ୍ତ ସେବା ନିୟନ୍ତ୍ରଣ କରିବାର ଅଧିକାର କୋର୍ଟ କେଜ୍ରିୱାଲ ସରକାରଙ୍କୁ ଦେଇଛନ୍ତି । ଏବଂ ଦିଲ୍ଲୀ ସରକାରଙ୍କ ନିଷ୍ପତି ମାନିବାକୁ ଉପଜିଲ୍ଲାପାଳ ବାଧ୍ୟ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ
– ଦିଲ୍ଲୀ ସରକାରଙ୍କ ଅଧିନରେ ରହିବେ ପ୍ରଶାସନିକ ଅଧିକାରୀ
– ନିଯୁକ୍ତି, ବଦଳି, ପଦୋନ୍ନତି କ୍ଷମତା ଅଧିକାର ଦେବେ ଦିଲ୍ଲୀ ସରକାର
– ପ୍ରଶାସନିକ ସେବାରେ ହସ୍ତକ୍ଷେପ କରିପାରିବେନି ଉପରାଜ୍ୟପାଳ
– ପ୍ରଶାସନିକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣକୁ ମାନିବାକୁ ଉପରାଜ୍ୟପାଳ ବାଧ୍ୟ
– ଅଧିକାରୀଙ୍କ ଉପରେ କେନ୍ଦ୍ରର ନିୟନ୍ତ୍ରଣ ରହିବ ନାହିଁ
– କେବଳ ଆଇନ୍ଶୃଙ୍ଖଳା, ପୋଲିସ ଓ ଜମିଜମା ଉପରେ ରହିବ କେନ୍ଦ୍ରର ନିୟନ୍ତ୍ରଣ

ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ସମସ୍ତ ପ୍ରକାର ବ୍ୟବସ୍ଥାପିକ କ୍ଷମତା ନିଜ ହାତକୁ ନେଲେ ସଙ୍ଘୀୟ ବ୍ୟବସ୍ଥା ପ୍ରଭାବିତ ହେବ । ତେଣୁ ରାଜ୍ୟ ସରକାରଙ୍କ ନିକଟରେ ଏହି କ୍ଷମତା ରହିବା ଆବଶ୍ୟକ ବୋଲି କହିଛନ୍ତି କୋର୍ଟ । ସେପଟେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଆସିବା ପରେ ଆପ୍ ଏହାକୁ ଐତିହାସିକ ବୋଲି କହିଛି । ଦିଲ୍ଲୀବାସୀଙ୍କ ସହ ନ୍ୟାୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜିୱାଲ ଟୁଇଟ୍ କରି ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ଏଣିକି ବିକାଶ ଦୁଇଗୁଣା ହେବ ବୋଲି କହିଛନ୍ତି ।

ଦିଲ୍ଲୀ ସରକାର ଓ ଏଲଜିଙ୍କ ମଧ୍ୟରେ ଏହି ବିବାଦ ୨୦୧୫ରୁ ଆରମ୍ଭ ହୋଇଥିଲା । ସେହି ସମୟରେ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତା ବଂଟନକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀ ସରକାର । ୨୦୧୬ରେଧାରା ୨୩୯-ଏଏ ଆଧାରରେ ହାଇକୋର୍ଟ ରାୟ ଶୁଣାଣି ଏଲଜିଙ୍କୁ ପ୍ରାଥମିକତା ଦେଇଥିଲେ । ଯାହା ପରେ ସୁପ୍ରିମକୋର୍ଟ ଯାଇଥିଲେ ଦିଲ୍ଲୀ ସରକାର । ଏବେ ପ୍ରଧାନ ବିଚାରପତିଙ୍କ ଅଧକ୍ଷତାରେ ୫ଜଣିଆ ଖଣ୍ଡପୀଠ ଦିଲ୍ଲୀ ସରକାର ସପକ୍ଷରେ ରାୟ ଶୁଣାଇଛନ୍ତି ।