ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ । ଜାମିନ୍ ମିଳିବା ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରୁ ଝଟକା । ତଳ କୋର୍ଟର ଫଇସଲା ଉପରେ ଲଗାଇଲେ ରୋକ୍ ।

173

କନକ ବ୍ୟୁରୋ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଲାଗିଲା ଝଟକା । ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ୍ ଆବେଦନ ନେଇ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି ।

ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ୍ ଆଭିନ୍ୟୁ କୋର୍ଟର ଫୈସଲା ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ, ତଳ କୋର୍ଟର ଅବକାଶକାଳୀନ ବେଞ୍ଚ କେଜ୍ରିୱାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରିଥିଲେ । ହେଲେ ତଳ କୋର୍ଟ ଇଡିର ଦସ୍ତାବିଜ ଉପରେ ଗୁରୁତ୍ୱ ଦେଇନଥିଲେ । ତେଣୁ ତଳ କୋର୍ଟର ରାୟ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ ଯେ, ତଳ କୋର୍ଟରେ କେଜ୍ରିୱାଲଙ୍କୁ ଜାମିନ୍ ମିଳିଥିଲା । ହେଲେ ଏହାପରେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇ ଦେଇଥିଲେ । ଇଡି ଏହି ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହେଇଥିଲା । ଆଉ ଅଭିଯୋଗ କରିଥିଲା ଯେ, ତଳ କୋର୍ଟ ଏକତରଫା ଭାବେ ରାୟ ଶୁଣାଇ କେଜ୍ରୱାଲଙ୍କୁ ଜାମିନ୍ ଦେଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଏବେ ଜେଲରେ ଅଛନ୍ତି । ଗତ ମେ ୧୦ ତାରିଖରେ ଶେଷ ଥର ପାଇଁ ତାଙ୍କୁ ଜାମିନ୍ ମିଲିଥିଲା । ସୁପ୍ରିମକୋର୍ଟ ତାଙ୍କୁ ପ୍ରଚାର କରିବା ପାଇଁ ଜାମିନ୍ ପ୍ରଦାନ କରିଥିଲେ । ନିର୍ଦ୍ଦେଶ ମୁତାବକ ଜୁନ୍ ୨ ତାରିଖରେ ସରେଣ୍ଡର କରିଥିଲେ କେଜ୍ରିୱାଲ ।