କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ତଳ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଆଜି ହାଇକୋର୍ଟ ଏହା ଉପରେ ରୋକ ଲଗାଇଛି । ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । କେଜ୍ରିୱାଲଙ୍କ ଜାମିନ ପ୍ରଦାନ ବିରୋଧରେ ଇଡି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଇଡି ପକ୍ଷରୁ କୁହାଯାଇଥିଲା ଯେ, ଏହି ମାମଲାର ଯାଞ୍ଚ ଚାଲୁଥିବା ବେଳେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । କାରଣ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ।

Advertisment

ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ତଳ କୋର୍ଟରେ ଏହି ମାମଲାରେ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିଲା । ଲିଖିତ ଜବାବ ରଖିବାକୁ ମଧ୍ୟ ସମୟ ମିଳିନଥିଲା । ଯାହା ଆଦୌ ଠିକ୍ ନୁହେଁ । ଏବେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି ।

ଇଡିର ଏଭଳି ଆଭିମୁଖ୍ୟକୁ ନେଇ ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି, ମୋଦୀ ସରକାରଙ୍କ ଗୁଣ୍ଡାଗର୍ଦ୍ଦି ଦେଖନ୍ତୁ । ଏବେ ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟର ଆଦେଶ ଆସିନାହିଁ କି ଏହାର କପି ମଧ୍ୟ ମିଳିନାହିଁ । ମୋଦୀଙ୍କ ଇଡି ହାଇକୋର୍ଟରେ କେଉଁ ଆଦେଶକୁ ଚ୍ୟାଲେଞ୍ଜ ଦେବାକୁ ପହଞ୍ଚିଛନ୍ତି । କଣ ହେଉଛି ଏ ଦେଶରେ । ପ୍ରଧାନମନ୍ତ୍ରୀ ମୋଦୀ ନ୍ୟାୟ ବ୍ୟବସ୍ଥାର ଏମିତି ମଜା କାହିଁକି ଉଡାଉଛନ୍ତି, ପୂରା ଦେଶ ଆପଣଙ୍କୁ ଦେଖୁଛି । କିଛି ଏଭଳି କହି ଉଭୟ କେନ୍ଦ୍ର ସରକାର ଓ ଇଡିକୁ କଟାକ୍ଷ କରିଛନ୍ତି ସଞ୍ଜୟ ସିଂ ।