ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କଲା ଆମ୍ ଆଦମୀ ପାର୍ଟି, ପବ୍ଲିକ ଭୋଟିଂ ଆଧାରରେ ଘୋଷଣା କଲେ କେଜ୍ରିୱାଲ

159

କନକ ବ୍ୟୁରୋ : ପଞ୍ଜାବ ଆପ୍ ର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି ପାର୍ଟିର ରାଷ୍ଟ୍ରୀୟ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କ ଘୋଷଣା ମୁତାବକ ଭଗୱନ୍ତ ମାନ ହିଁ ଆପର ମୁଖ୍ୟମନ୍ତ୍ରୀ ଚେହେରା । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ତରଫରୁ ଏକ ପବ୍ଲିକ ଭୋଟିଂ କରି ଲୋକଙ୍କ ମତ ଲୋଡାଯାଇଥିଲା । ଏହାର ଶେଷ ତାରିଖ ଜାନୁଆରୀ ୧୭ ତାରିଖ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରଖାଯାଇଥିଲା । ଏନେଇ ଦଳ ପକ୍ଷରୁ ଦାବି କରାଯାଇଛି କି ପଞ୍ଜାବର ୨୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ରାୟ ଦେଇଥିଲେ । ଫୋନ କଲ ଓ ମେସେଜ ମାଧ୍ୟମରେ ପଞ୍ଜାବ ଭୋଟରମାନେ ସେମାନଙ୍କ ମତ ଦେଇଥିଲେ ।

ଅନ୍ୟପଟେ ଦଳ ତରଫରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆଶାୟୀ ଉପରେ ଏକ ୬ ମିନିଟର ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଯାହାକୁ କି ଆଜି କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ ଦେଖାଇଛନ୍ତି । ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବା ବେଳେ ଭଗବନ୍ତ ମାନଙ୍କ ପରିବାର ଲୋକଙ୍କୁ ବି ଡକରା ଯାଇଥିଲା ।

କହିରଖୁ କି ଫେବୃଆରୀ ୨୦ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏନେଇ ପଞ୍ଜାବ ଆପ୍ ପକ୍ଷରୁ ପଞ୍ଜାବ ବିଧାନସଭାର ୧୧୭ ଆସନ ମଧ୍ୟରୁ ମୋଟ ୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଥାଉକି ପ୍ରଥମେ ଫେବୃଆରୀ ୧୪ ତାରିଖରେ ନିର୍ବାଚନ ହେବାକୁ ନେଇ ନିର୍ବାଚନ କମିଶନ ଘୋଷଣା କରିଥିଲେ । ହେଲେ ଗୁରୁ ରବିଦାସ ଜୟନ୍ତି କାରଣରୁ ଏହାକୁ ଫେବୃଆରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।