ଭୁବନେଶ୍ୱରର ଦୁଇ ହେଭିୱେଟ ପ୍ରାର୍ଥୀଙ୍କ ସମ୍ପତି କେତେ? ଅପରାଜିତାଙ୍କ ପାଖରେ ଅଛି ଏକ କିଲୋରୁ ଅଧିକ ସୁନା, ଅରୂପଙ୍କ ନାଁରେ ମହାରାଷ୍ଟ୍ରରେ ରହିଛି କୋଠା ଘର ।

635

କନକ ବ୍ୟୁରୋ : ଭୁବନେଶ୍ୱର ଲୋକସଭା ଆସନ ଏଥର ଦେଖିବା ଆଇଏଏସ୍ ବନାମ ଆଇପିଏସ୍ ଲଢେଇ । ବିଜେପିର ଅପରାଜିତା ଷଡଙ୍ଗୀଙ୍କୁ ଏଠାରେ ଟକ୍କର ଦେଉଛନ୍ତି ବିଜେଡିିର ଅରୂପ ପଟ୍ଟନାୟକ । ପ୍ରାର୍ଥୀପତ୍ର ଦାଖଲ ସହିତ ସାମ୍ନାକୁ ଆସିଛି ଦୁଇ ପ୍ରାର୍ଥୀଙ୍କ ସମ୍ପତି ତାଲିକା । ନାମାଙ୍କନ ଦାଖଲ ବେଳେ ଦିଆଯାଇଥିବା ସତ୍ୟପାଠରୁ ଜଣା ପଡିଛି ଅପରାଜିତା ଷଡଙ୍ଗୀ ଓ ଅରୂପ ପଟ୍ଟନାୟକ ଉଭୟ କୋଟିପତି ପ୍ରାର୍ଥୀ । ଦୁଇ ଅବସରପ୍ରାପ୍ତ ପ୍ରଶାସକ ପ୍ରାର୍ଥୀ କେତେ ଧନୀ ତାହା ଉପରେ ନଜର ପକାନ୍ତୁ ।

ସତ୍ୟପାଠକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ, ସୁନା ଗହଣାରେ ସୌକ୍ ରଖନ୍ତି ଅପରାଜିତା । ତାଙ୍କ ନିକଟରେ ଅଛି ୧ କେଜି ୧୫୦ ଗ୍ରାମ୍ ସୁନା ଗହଣା । ଯାହାର ବଜାର ମୂଲ୍ୟ ହେବ ପ୍ରାୟ ୩୪ ଲକ୍ଷ ୫୦ ହଜାର ଟଙ୍କା । ଭୁବନେଶ୍ୱର ଓ ନୂଆଦିଲ୍ଲୀରେ ରହିଛି ମୋଟ୍ ୫ଟି ବ୍ୟାଙ୍କ ଆକାଉଂଟ । ଏଥିରେ ଅଛି ୪୧ ଲକ୍ଷ ୩୫ ହଜାର ୫୫୪ ଟଙ୍କା । ତେବେ ଅପରାଜିତାଙ୍କ ମୋଟ୍ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୧ କୋଟି ୨୪ ଲକ୍ଷ ୪୫ ହଜାର ୫୫୭ ଟଙ୍କା । ସେହିପରି ଅପରାଜିତାଙ୍କ ନାଁରେ ରହିଛି ଉତରପ୍ରଦେଶ ନୋଏଡାରେ କୋଠା ଏବଂ ଭୁବନେଶ୍ୱର ପାତ୍ରପଡାରେ ଗୋଟିଏ ପ୍ଲଟ୍ । ଏସବୁକୁ ମିଶାଇଲେ ଅପରାଜିତା ଓ ତାଙ୍କ ସ୍ୱାମୀଙ୍କ ମୋଟ୍ ସମ୍ପତି ହେବ ୩ କୋଟି ୧୬ ଲକ୍ଷ ୭୨ ହଜାର ୬୦୦ ଟଙ୍କା

ଅବସରପ୍ରାପ୍ତ ଆଇପିଏସ ଅରୂପ ପଟ୍ଟନାୟକ ମଧ୍ୟ ଜଣେ କୋଟି ପତି । ବିଜେଡି ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଟିକଟ ଦେଇଛି । ତେବେ ତାଙ୍କ ନିକଟରେ ଅଛି ୬ ଲକ୍ଷ ୮୬ ହଜାର ଟଙ୍କାର ସୁନା ଗହଣା । ଗୋଟିଏ ଚାରି ଚକିଆ ଗାଡି । ନଗଦ ୍ ୩୫ ହଜାର ଟଙ୍କା , ୭ଟି ବ୍ୟାଙ୍କ ଆକାଉଂଟ । ଏସବୁର ମୋଟ୍ ରାଶି ଓ ବିଭିନ୍ନ କ୍ଷେତ୍ରରେ ନିବେଶ ମୂଲ୍ୟକୁ ମିଶାଇଲେ ଅରୂପଙ୍କ ନାଁରେ ଅଛି ୧ କୋଟି ୩୨ ଲକ୍ଷ ୧୯ ହଜାର ୪୨୬ ଟଙ୍କାର ସମ୍ପତି ।

ଅରୂପଙ୍କ ସ୍ତ୍ରୀଙ୍କ ନାଁରେ ସୁନା ଓ ହୀରା ଗହଣା ୩୭୫ ଗ୍ରାମ ରହିଛି । ଯାହାର ମୂଲ୍ୟ ୧୫ ଲକ୍ଷ ୫୪ ହଜାର ୩୧୯ ଟଙ୍କା ହେବ । ୩ ଟି ବ୍ୟାଙ୍କ ଆକାଉଂଟ, ବିଭିନ୍ନ କ୍ଷେତ୍ରରେ ୧ କୋଟି ୩୪ ଲକ୍ଷ ୯୫ ହଜାର ୯୯୪ ଟଙ୍କାର ନିବେଶ । ଅରୂପ ପଟନାୟକଙ୍କ ସ୍ତ୍ରୀଙ୍କ ନାଁରେ ମୋଟ୍ ୨ କୋଟି ୮୫ ଲକ୍ଷ ୨୩ ହଜାର ୬୫୫ ଟଙ୍କାର ଅସ୍ଥାବର ସମ୍ପତି ରହିଛି । ଅରୂପ ପଟ୍ଟନାୟକଙ୍କ ନାଁରେ ମହାରାଷ୍ଟ୍ରରେ ୧ କୋଟି ୨୯ ଲକ୍ଷ ଟଙ୍କାର କୋଠାଘର ଅଛି । ଓଡିଶାର ଭୁବନେଶ୍ୱର , ପୁରୀର ବିଭିନ୍ନ ସ୍ଥାନରେ ଥିବା କୋଠା ଓ ଜମିର ମୂଲ୍ୟ ୫ କୋଟିରୁ ଅଧିକ ହେବ । ଉଭୟ ପତି ପତ୍ନୀଙ୍କ ନାଁରେ ଥିବା ମୋଟ୍ ସମ୍ପତି ୯ କୋଟି ୨୯ ଲକ୍ଷ ୬୯ ହଜାର ୭୦୬ ଟଙ୍କା ହେବ ବୋଲି ସତ୍ୟପାଠରୁ ଜଣାପଡିଛି ।