ବିଜେପି ସାଂସଦଙ୍କ ପତ୍ନୀଙ୍କୁ ବିଜେଡି ଦେଲା ଟିକେଟ । ଦେବଗଡରୁ ଲଢିବେ ଅରୁନ୍ଧତୀ, କଣ ରହିବ ସ୍ୱାମୀ ନୀତିଶଙ୍କ ଆଭିମୁଖ୍ୟ?

2,387

କନକ ବ୍ୟୁରୋ : ବିଜେପି ସାଂସଦଙ୍କ ପତ୍ନୀଙ୍କୁ ମିଳିଲା ବିଜେଡି ଟିକେଟ । ଦେବଗଡ ଆସନରୁ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀଙ୍କୁ କରିଛି ବିଜେଡି । ଅରୁନ୍ଧତୀ ହେଉଛନ୍ତି ସମ୍ବଲପୁରରୁ ବିଜେପି ସାଂସଦ ଥିବା ନୀତିଶ ଗଙ୍ଗଦେବଙ୍କ ପତ୍ନୀ । ଚଳିତ ନିର୍ବାଚନରେ ନୀତିଶଙ୍କୁ ଟିକେଟ ଦେଇନଥିଲା ବିଜେପି । ନୀତିଶଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁରରେ ପ୍ରାର୍ଥୀ କରିଛି ଦଳ । ନୀତିଶ ଏଯାଏଁ ବିଜେପି ଛାଡିନାହାନ୍ତି । ଅନ୍ୟପଟେ ପତ୍ନୀ ଅରୁନ୍ଧତୀ ବିଜେଡି ଟିକେଟ ହାତେଇବା ପରେ ନୀତିଶଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ନୀତିଶ ଦଳ ଠାରୁ ଦୂରତା ବଜାୟ ରଖିଥିଲେ । ଦଳର କୌଣସି କାର୍ଯ୍ୟକ୍ରମ କିମ୍ବା ପ୍ରଚାରରେ ନୀତିଶଙ୍କୁ ଦେଖିବାକୁ ମିଳୁନଥିଲା । ଏଭଳି ସମୟରେ ପତ୍ନୀ ଅରୁନ୍ଧତୀ ଗତକାଲି ବିଜେଡିରେ ସାମିଲ ହୋଇ ଆଜି ଟିକେଟ ହାତେଇବାରେ ସଫଳ ହୋଇଛନ୍ତି । ବିଜେଡିରେ ସାମିଲ ହେବା ପୂର୍ବରୁ ଅରୁନ୍ଧତୀ ଦେବୀ ବିଜେପିକୁ ଅନେକ ସମୟରେ ଟାର୍ଗେଟ କରି ଆସିଛନ୍ତି । ସମ୍ବଲପୁର ବିଜେପିର ଅନେକ ନେତାଙ୍କ ଅରୁନ୍ଧତୀ ପୂର୍ବରୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ । କିଭଳି ବିଜେପିର ଏକ କୁଚକ୍ରୀ ଗୋଷ୍ଠୀ ତାଙ୍କ ସ୍ୱାମୀଙ୍କୁ କାମ କରାଇ ଦେଉନାହାନ୍ତି ବୋଲି ଉଲ୍ଲେଖ କରିଥିଲେ । ଏପରିକି ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ମଧ୍ୟ ସୋସିଆଲ ମିଡ଼ିଆରେ ଚେତାଇ ଦେଇଥିଲେ । ସୋସିଆଲ ମିଡ଼ିଆରେ ବିଜେପି ନେତାଙ୍କୁ ଅରୁନ୍ଧତୀ ଟାର୍ଗେଟ କରିଥିବା ବେଳେ ସ୍ୱାମୀ ନୀତିଶ ଗଙ୍ଗଦେବ ସମ୍ପୂର୍ଣ୍ଣ ନିରବ ରହିଥିଲେ । ଯାହାକୁ ନେଇ ସମ୍ବଲପୁର ରାଜନୀତି ସରଗରମ ରହିଥିଲା ।