ପ୍ରଦୂଷଣକୁ ଅସ୍ତ୍ର କରି ଚୀନର ନୂଆ ଚାଲ ! ଅଚାନକ କଳା ପାଲଟିଗଲା ଆରୁଣାଚଳ ପ୍ରଦେଶର ସିୟାଙ୍ଗ ନଦୀର ଜଳ

79

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ପାନୀୟ ଜଳ ଯୋଗାଣର ମୁଖ୍ୟ ସ୍ରୋତ ସିୟାଙ୍ଗ ନଦୀ ଅଚାନକ କଳା ପାଲଟିଯାଇଛି । ଏହି ନଦୀର ଜଳ ଭୟଙ୍କର ପ୍ରଦୂଷଣ ହୋଇଥିବାରୁ ଏହାକୁ ବ୍ୟବହାର ନ କରିବାକୁ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି ସିୟାଙ୍ଗ ଜିଲ୍ଲା ପ୍ରଶାସନ । ବିଶେଷଜ୍ଞମାନେ ପାଣିର ନମୁନା ଯାଂଚ କରି କହିଛନ୍ତି ପାଣି ସାଂଘାତିକ ବର୍ଜ୍ୟବସ୍ତ ସବୁ ମିଶି ରହିଛି । ଚୀନ ଜାଣିଶୁଣି ସିୟାଙ୍ଗର ଜଳକୁ ଦୂଷିତ କରି ନୂଆ ଚାଲ ଖେଳୁଥିବା ଭାରତ କହିଛି । ସିୟାଙ୍ଗ ନଦୀରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ ନଦୀରେ ମାଛ ଗୁଡିକ ମରିଯାଉଛନ୍ତି ।

ସୂଚନା ମୁତାବକ, ବ୍ରହ୍ମପୁର ନଦୀର ମୁଖ୍ୟ ଶାଖାନଦୀ ହେଉଛି ସିୟାଙ୍ଗ୍ ଏବଂ ଏହା ତିବ୍ଦତର ଦକ୍ଷିଣାଞ୍ଚଳ ଦେଇ ୧୬୦୦ କିମି ବ୍ୟାପୀ ପ୍ରବାହିତ ହେଉଛି । ବିଶେଷଜ୍ଞମାନେ ପାଣିର ନମୁନା ଯାଞ୍ଚ ପରେ କହିଛନ୍ତି ଯେ ପାଣିରେ ସାଂଘାତିକ ଭାବେ ରାସାୟନିକ ବର୍ଜ୍ୟବସ୍ତୁ, ସିମେଣ୍ଟ ଓ କୋଇଲାଗୁଣ୍ଡ ମିଶିଛି। ଏହି ବିଷାକ୍ତ ପାଣି ଯୋଗୁଁ ନଦୀର ମାଛସବୁ ମରିଯାଉଛନ୍ତି। ସିୟାଙ୍ଗ ନଦୀ ଜଳକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯିବା ପରେ ଏବେ ପାନୀୟଜଳ ଯୋଗାଣରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି । ଦୁଇ ମାସ ତଳେ ନଦୀ ଜଳ ଗୋଳିଆ ହେବାପରେ ଲୋକେ ଭାବିଥିଲେ ଲଗାଣ ବର୍ଷା ଯୋଗୁଁ ମାଟି ଧୋଇ ହୋଇ ଏଭଳି ସ୍ଥିତି ଉପୁଜିଛି । କିନ୍ତୁ ବର୍ଷା ବନ୍ଦ ହେବାପରେ ମଧ୍ୟ ନଦୀ ଜଳର ସ୍ଥିତିରେ ପରିବର୍ତ୍ତନ ହୋଇନଥିଲା ଏବଂ ଏହା ଦିନକୁ ଦିନ ଅତି ମାତ୍ରାରେ ଖରାପ ହୋଇଚାଲିଥିଲା । ନଭେମ୍ବର ମାସରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏହି ନଦୀ ଜଳ ସଂପୂର୍ଣ୍ଣ ସଫା ରହିଥାଏ । କିନ୍ତୁ ବର୍ତ୍ତମାନର ସ୍ଥିତି ଲୋକଙ୍କ ପାଇଁ ବେଶ୍ ପୀଡ଼ାଦାୟକ ହୋଇଛି। ଚୀନ୍ରୁ ଏହି ନଦୀ ପ୍ରବାହିତ ହେଉଥିବା ବେଳେ ଏହାର ତଟରେ ଚୀନ୍ ସିମେଣ୍ଟ ଓ ଅନ୍ୟ କେତେକ ରାସାୟନିକ ପ୍ରକଳ୍ପ କାମ ଚଳାଇଥିବାରୁ ଏଭଳି ସ୍ଥିତି ଉପୁଜିଛି । ଚୀନ୍ ଏହି ନଦୀର ତିବ୍ଦତ ଅଂଶକୁ ସିନଜିୟାଙ୍ଗ୍ ପ୍ରଦେଶକୁ ମୋଡ଼ିବାକୁ ଚାହୁଛି ଏବଂ ଏଥିପାଇଁ ପରିବେଶ ପ୍ରତି ଭୃକ୍ଷେପ ନକରି କେତେକ ବିପଜ୍ଜନକ ପଦକ୍ଷେପ ନେଇଛି ।

ନଦୀର ଗତିପଥ ବଦଳାଇବା ପାଇଁ ଚୀନ୍ ୧୦୦୦ କିଲୋମିଟର ଲମ୍ବ ଏକ ସୁଡ଼ଙ୍ଗ ନିର୍ମାଣ କାମ ଚଳାଇଛି । ଏ ବାବଦରେ ଭାରତର ପ୍ରତିବାଦ ପରେ ଚୀନ୍ ଏହାକୁ ଅସ୍ୱୀକାର କରିଆସୁଛି । ଚଳିତ ବର୍ଷ ଚୀନ୍ ବ୍ରହ୍ମପୁତ୍ର ନଦୀର ଜଳ ସ୍ଥିତି ସଂପର୍କରେ ଆଗୁଆ ସୂଚନା ଭାରତକୁ ଦେଇନଥିବାରୁ ବଡ଼ ଧରଣର ବନ୍ୟା ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥିଲା । ଏବେ ସିୟାଙ୍ଗ୍ ନଦୀ ଜଳକୁ ସାଂଘାତିକ ପ୍ରଦୂଷିତ କରି ଚୀନ୍ ତା’ର ଭାରତ ବିରୋଧୀ ମାନସିକତାକୁ ଜାହିର କରୁଛି ବୋଲି ଆଲୋଚନା ହେଉଛି। ଡୋକଲାମ ବିବାଦ ଯୋଗୁଁ ଚୀନ୍ ବ୍ରହ୍ମପୁତ୍ର ନଦୀ ଜଳର ସ୍ଥିତି ଭାରତକୁ ଜଣାଇନଥିଲା ବୋଲି କୁହାଯାଉଛି । ଏବେ ସିୟାଙ୍ଗ୍ ନଦୀ ଜଳକୁ ବ୍ୟବହାର ଅନୁପଯୋଗୀ କରି ଚୀନ୍ ନୂଆ ଚାଲ୍ ଖେଳୁଛି ।