ଚାପ ପଡିଲା, ନଇଁଲା ଚୀନ୍: ସୀମାରୁ ଅପହୃତ ୫ ଭାରତୀୟଙ୍କୁ ଆଜି ଫେରାଇବ ଚାଇନା ସେନା; ଅରୁଣାଚଳ ପ୍ରଦେଶ ସୀମାରୁ ଉଠାଇନେଇଥିଲା ସମସ୍ତଙ୍କୁ

ଆଲୋଚନା ପରେ ମୁକ୍ତ କରାଯିବା ନେଇ ଚୀନ୍ ଅଧିକାରୀ ଦେଲେ ସୂଚନା

458

କନକ ବ୍ୟୁରୋ: ଭାରତୀୟ ସେନାର ଦାବି ଆଗରେ ମୁଣ୍ଡ ନୋଇଁଲା ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ଅରୁଣାଚଳରୁ ଅପହୃତ ୫ ଜଣଙ୍କୁ ଆଜି ଫେରାଇବ ଚୀନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜଜୁ । ସେ କହିଛନ୍ତି ଯେ, ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ମେସେଜର ଜବାବ ଦେଇଛି ଚୀନର ପିଏଲଏ । ଅରୁଣାଚଳରୁ ନିଖୋଜ ୫ ଯୁବକ ଚୀନରେ ଥିବା ସ୍ୱୀକାର କରିଛି ପିଏଲଏ । ଏଥିସହ ସେମାନଙ୍କୁ ଭାରତକୁ ଫେରାଇ ଦେବାପାଇଁ ରାଜି ହୋଇଛି । ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥିରିକୃତ ସ୍ଥାନରେ ଏମାନଙ୍କୁ ହସ୍ତାନ୍ତରଣ ପ୍ରକ୍ରିୟା ହେବ ।

ଯେକୌଣସି ସମୟରେ ଏହି ପ୍ରତ୍ୟର୍ପଣ ପ୍ରକ୍ରିୟା ହୋଇପାରେ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ । କୁହାଯାଉଛି ଜଙ୍ଗଲକୁ ଶୀକାର କରିବାକୁ ଯାଇଥିବାବେଳେ ଗତ ସେପ୍ଟେମ୍ବର ୨ ତାରିଖରେ ଏମାନଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରିନେଇଥିଲେ ଚୀନ ସେନା ଯବାନ । ଖବର ଜଣାପଡିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଜୋର ଲଗାଇଦେଇଥିଲା ଭାରତୀୟ ସେନା । ହଟଲାଇନରେ ପ୍ରତିପକ୍ଷଙ୍କୁ ସନ୍ଦେଶ ଦିଆଗଲା । ଗତ ୮ ତାରିଖରେ ଚୀନ ପ୍ରତିପକ୍ଷ ଭାରତୀୟ ସେନା ମେସେଜର ଉତର ରଖିବା ସହ ଯୁବକମାନେ ସେମାନଙ୍କ କବଜାରେ ଥିବା ସୂଚନା ଦେଇଥିଲେ । ଆବଶ୍ୟକ ଔପଚାରିକତା ପରେ ଏମାନଙ୍କୁ ଫେରାଇ ଦେବାପାଇଁ ସମ୍ମତ ହୋଇଛି ଚୀନ ।