କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶର ପାହାଡି ସୀମାରୁ ୭ ଜଣ ଯବାନଙ୍କ ଶବ ଉଦ୍ଧାର କରାଯାଇଛି । ହିମ ସ୍ଖଳନ ପରେ ନିଖୋଜ ହୋଇଥିବା ଯବାନମାନଙ୍କ ଶବ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଗତକାଲି (ସୋମବାର) ଦିନ କୁହାଯାଇଥିଲା କି ଅରୁଣାଚଳ ପ୍ରଦେଶର ଏକ ପାଟ୍ରୋଲିଂ ଟିମ୍ ବରଫ ଝଡରେ ଫସି ଯାଇଛନ୍ତି । ଏନେଇ ସେନା ତରଫରୁ ଲଗାତର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
କହିରଖୁ କି ସେନା ଅଧିକାରୀଙ୍କ ବୟାନ ମୁତାବକ ପାଟ୍ରୋଲିଂରେ ଯାଇଥିବା ସମସ୍ତ ୭ ଜଣ ବରଫ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ସେମାନେ କେମାଙ୍ଗ ଅଞ୍ଚଳରେ ବରଫ ତଳେ ଚାପି ହୋଇଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।
ଏହା ପୂର୍ବରୁ ସେନା ତରଫରୁ କୁହାଯାଇଥିଲା କି ୭ ଜଣ ଯବାନଙ୍କ ଏକ ପାଟ୍ରୋଲିଂ ଟିମ କେମାଙ୍ଗ ସେକ୍ଟରରେ ପାଟ୍ରୋଲିଂ କରୁଥିବା ବେଳେ ବରଫ ତଳେ ଚାପି ହୋଇଯାଇଥିଲେ । ଏହାପରେ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ଏୟାର ଲିଫ୍ଟ ସହାୟତାରେ ସେଠାରେ ପହଂଚାଯାଇ ଖୋଜା ଖୋଜି ଆରମ୍ଭ ହୋଇଥିଲା ।
ଯେଉଁ ଅଞ୍ଚଳରେ ଏହି ବରଫ ଝଡ ହୋଇଥିଲା ସେଠାରେ କିଛିଦିନ ହେବ ଲଗାତର ପ୍ରବଳ ବର୍ଷା ହେଉଥିଲା । ଏନେଇ ପାଗ ଖରାପ ଥିବାରୁ ଉଦ୍ଧାରକାରୀ ଦଳ ଠିକରେ ଖୋଜାଖୁଜି କରିପାରି ନଥିଲେ ।
Follow Us