ଅରୁଣ ଯୋଗୀରାଜ ନିର୍ମାଣ କରିଥିଲେ ଆଉ ଏକ କୁନି ରାମଲଲ୍ଲା । ସାମ୍ନାକୁ ଆସିଲା ଏହି ଫଟୋ…

114

କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଲଲ୍ଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହେଇଥିଲା । ମନ୍ଦିରର ଗର୍ଭଗୃହରେ କର୍ଣ୍ଣାଟକ ନିବାସୀ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରଭୁ ରାମଲଲ୍ଲାଙ୍କ ବିଗ୍ରହ ସ୍ଥାପନ କରାଯାଇଥିଲା । ଯାହାକି ଦେଖିବାକୁ ଯେତିକି ଜୀବନ୍ତ ଥିଲା, ସେତିକି ସୁନ୍ଦର ମଧ୍ୟ ରହିଥିଲା । ହେଲେ ଏବେ ଅରୁଣ ଯୋଗୀରାଜ ଅଯୋଧ୍ୟାରେ ରହିଥିବା ସମୟରେ ଭଗବାନ ରାମଲଲ୍ଲାଙ୍କର ଆଉ ଗୋଟିଏ ମୂର୍ତ୍ତି ମଧ୍ୟ ଗଢିଥିବା ନେଇ ସୂଚନା ଦେଇଛନ୍ତି ।

ମୂର୍ତ୍ତିକାର ଅରୁଣ ଯୋଗୀରାଜ ସୋସିଆଲ୍ ମିଡିଆ ଏକ୍ସରେ ଟୁଇଟ୍ କରି କହିଛନ୍ତିି ଯେ, ଯେତେବେଳେ ରାମ ମନ୍ଦିର ପାଇଁ ରାମଲଲ୍ଲାଙ୍କ ମୂର୍ତ୍ତି ଚୟନ ହେଇଯାଇଥିଲା । ସେତେବେଳେ ମୋ ପାଖରେ କିଛି ଖାଲି ସମୟ ରହିଥିଲା । ଏହି ସମୟରେ ମୁ ରାମଲଲ୍ଲାଙ୍କର ଆଉ ଏକ ଛୋଟିଆ ମୂର୍ତ୍ତି ନିର୍ମାଣ କରିଥିଲି ।

ଜାଣିରଖିବା ଉଚିତ୍ ଯେ, ବର୍ତ୍ତମାନ ଦେଶର ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ମୂର୍ତ୍ତିକାର ହେଉଛନ୍ତି ଅରୁଣ ଯୋଗୀରାଜ । ତାଙ୍କର ୫ଟି ପୀଢି ଏହି ପାରମ୍ପରିକ ମୂର୍ତ୍ତି ନିର୍ମାଣରେ ନିୟୋଜିତ ଥିଲେ । ଅରୁଣଙ୍କ ପିତା ଯୋଗୀରାଜ ମଧ୍ୟ ଜଣେ କୁଶଳ ମୂର୍ତ୍ତିକାର ଥିଲେ ।