ବିଜେପିରୁ ଦାମଙ୍କ ଇସ୍ତଫା ନେଇ ଅରୁଣ ସିଂହଙ୍କ ପ୍ରତିକ୍ରିୟା । କହିଲେ ଦାମବାବୁଙ୍କ ବୟସ ହୋଇଯାଇଛି, ଦେହ ବି ଭଲ ରହୁନି ତେଣୁ ଅବ୍ୟାହତି ପରେ ସାମାଜିକ କାର୍ଯ୍ୟ ପାଇଁ ତାଙ୍କୁ ଶୁଭକାମନା
କନକ ବ୍ୟୁରୋ: ଦାମଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ସେ କହିଛନ୍ତି କି, ଦାମ ରାଉତଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦଳ ତାଙ୍କୁ ଅଣଦେଖା କରିନାହିଁ । ବରଂ ଦଳ ପକ୍ଷରୁ ଦାମ ରାଉତଙ୍କୁ ସୁଯୋଗ ଦିଆଯାଇଥିଲା । ଏପରିକି ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା । ମାତ୍ର ଏହା ନୁହେଁ ଯେ ଗୋଟିଏ ବ୍ୟକ୍ତିଙ୍କୁ ଦଳ ସବୁବେଳେ ନିର୍ବାଚନ ଲଢିବାକୁ ସୁଯୋଗ ଦେବ । ତେଣୁ ଯେତେବେଳେ ଦଳ କାହାକୁ ଟିକେଟ୍ ଦେଉଛି ତେବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଲା କି ତାଙ୍କର ଦଳ ପ୍ରତି ସମର୍ପଣ ଭାବ ରହିବା ଜରୁରୀ । ବିଜେପିରୁ ଇସ୍ତଫା ଦେବା ଦାମ ରାଉତଙ୍କର ଏହା ନିଜସ୍ୱ ନିଷ୍ପତି । ଦାମବାବୁଙ୍କର ବୟସ ହୋଇଯାଇଛି, ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ । ତେଣୁ ଯଦି ସେ ରାଜନୀତିରୁ ସନ୍ୟାସ ନେଇ ସମାଜ ସେବା କରିବାକୁ ମନ ବଳାଇଛନ୍ତି ତେବେ ତାଙ୍କୁ ଶୁଭକାମନା ବୋଲି କହିଛନ୍ତି ଅରୁଣ ସିଂହ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅରୁଣ ସିଂ ଆହୁରୀ ମଧ୍ୟ କହିଛନ୍ତି ଯେ, ଦାମ ଯେଉଁ ଅଭିଯୋଗ ଆଣିଛନ୍ତି ଯେ ଦଳ ତରଫରୁ ତାଙ୍କୁ ଅଣଦେଖା କରାଯାଇଛି ବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଇନାହିଁ ବୋଲି ତେବେ ଦଳୀୟ କାର୍ଯ୍ୟକ୍ରମରେ କାହାକୁ ଡକାଯାଏନି ବରଂ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତ ନେତା ଏବଂ କର୍ମୀଙ୍କୁ ନିଜେ ଯିବାକୁ ପଡେ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ।
ସେପଟେ, ଦାମଙ୍କ ଇସ୍ତଫା ନେଇ ପାରାଦୀପ ବିଧାୟକ ତଥା ପୁଅ ସମ୍ବିତ ରାଉତରାୟ କହିଛନ୍ତି ବାପାଙ୍କ ନିଷ୍ପତିରେ ସେ ଖୁସି । ବାପା ବିଜେପିରେ ରହିପାରିବେନି ବୋଲି ତାଙ୍କୁ ଆଗରୁ ଜଣାଥିଲା ବୋଲି କହିଛନ୍ତି ସମ୍ବିତ୍ । ସେପଟେ ବିଜେପିରୁ ଦାମଙ୍କୁ ଇସ୍ତଫା ନେଇ ବିଜେଡି ନେତା ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେପିରେ ବୋଧହୁଏ ଦାମବାବୁ ଖାପଖୁଆଇ ପାରିଲେ ନାହିଁ । ତେବେ ବିଜେଡିକୁ ଦାମ ପୁଣି ଫେରିବେ କି ନାହିଁ ସେ ନେଇ ସଭାପତି ନିଷ୍ପତି ନେବେ ବୋଲି କହିଛନ୍ତି ଦେବାଶିଷ । ସେପଟେ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ସେ ଜଣେ ଅଭିଜ୍ଞ ଓ ସମ୍ମାନନୀୟ ବ୍ୟକ୍ତି । ବିଜୁବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ । ବିଭିନ୍ନ ସମୟରେ ବିଜେଡି ଓ ଜନତା ଦଳରେ ରହି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ । ସେ ନିଜ ନିଷ୍ପତି ନିଜେ ନେଇପାରିବେ ।
ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନିଷ୍ପତି ପ୍ରକ୍ରିୟାରେ ମୋର ଉପସ୍ଥିତି ବା ସମ୍ପୃକ୍ତି ଆଦୌ ଆବଶ୍ୟକତା ହେଉନଥିବା ମୁ ଅନୁଭବ କରୁଛି । ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରିଛି । ଅଲୋଡା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସମ୍ପୁର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି ବୋଲି ଲେଖିଛନ୍ତି ଦାମ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗିକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କର ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ପାଇଁ ବିଜେପିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି ।