ଧରା ପଡ଼ିଲା ଆରୁହା ପାହାଡ଼ କଳାପଥର କେଳେଙ୍କାରୀ : ଜିଲ୍ଲାପାଳ, ତହସିଲଦାରଙ୍କୁ ନୋଟିସ ଜାରି କଲେ ଲୋକାୟୁକ୍ତ

ଲିଜ୍ ଦିଆଯାଇଥିଲା ୩ ଏକର ହେଲେ ଖାଦନ ଚାଲିଥିଲା ୧୦ ଏକରରେ; ପରିବେଶ ନିୟମର ହୋଇଥିଲା ଖୋଲା ଉଲ୍ଲଂଘନ

114

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ କଳାପଥର କେଳେଙ୍କାରୀ ମାମଲାରେ ଚାଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଲୋକାୟୁକ୍ତଙ୍କ ତଦନ୍ତ ରିପୋର୍ଟରେ ଏହା ଜଣାପଡିଛି । ଘଟଣାକୁ ଗମ୍ଭୀରତାର ସହ ନେଇ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି , ଜିଲ୍ଲାପାଳ, ୪ ଜଣ ତହସିଲଦାର , ୩ ଜଣ ଆରଆଇ ଓ ଜିଓଲୋଜିକାଲ ସର୍ଭେ ଢେଙ୍କନାଳ ଜୋନର ଯୁଗ୍ମ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି ହୋଇଛି ।

ଖବର ଅନୁସାରେ, ଆରୁହା ପାହାଡରେ ରାଜ୍ୟ ସରକାର ୩ ଏକର ଜମିକୁ ପାଂଚ ବର୍ଷ ପାଇଁ ଲିଜରେ ଦେଇଥିଲେ । ହେଲେ ଲିଜଧାରୀ ପ୍ରଶାସନକୁ ଆୟୁଧ କରି ୧୦ ଏକର ଜମିରେ ଖାଦାନ ଚଳାଇଥିଲେ । ପରିବେଶ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ବି ଅଭିଯୋଗ ଆସିଛି । ଆସନ୍ତା ୬ ସପ୍ତାହ ମଧ୍ୟରେ ଉତର ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆରୁହା ପାହାଡରେ ବ୍ୟାପକ କଳାପଥର ଲୁଟ କାରବାର ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତରେ ମାମଲା ରୁଜୁ କରିଥିଲା ।

ଏହି ମାମଲାରେ ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଧର୍ମଶାଳାର ଏକାଧିକ ତହସିଲଦାରଙ୍କୁ ସେ ପକ୍ଷଭୁକ୍ତ କରିଥିଲେ । ଲୋକାୟୁକ୍ତ ମାମଲାର ବିଚାର କରି ଡାଇରେକ୍ଟର ଅଫ ଇନକ୍ୱାରୀ ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟକୁ ସମୀକ୍ଷା କରି ଲୋକାୟୁକ୍ତଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି ।