ଚିତ୍ରଶିଳ୍ପୀ ପିକାସୋଙ୍କ ୧୪୦ ତମ ଜନ୍ମ ବାର୍ଷିକୀ : ଭୁବନେଶ୍ୱର କ୍ଲବରେ ପିକାସୋଙ୍କ ସ୍ମୃତିରେ କଳା ପ୍ରଦର୍ଶନୀ

34

କନକ ବ୍ୟୁରୋ : ଭୁବନେଶ୍ୱର କ୍ଲବରେ ପିକାସୋଙ୍କ ସ୍ମୃତିରେ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ବିଂଶ ଶତାଦ୍ଧୀର ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ପିକାସୋଙ୍କ ୧୪୦ ତମ ଜନ୍ମବାର୍ଷିକୀରେ ସ୍ୱୀକୃତ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ଉତ୍ସବରେ ପିକାସୋଙ୍କ ପ୍ରସିଦ୍ଧ କଳାକୃତି ପ୍ରଦର୍ଶିତ କରାଯାଇଥିଲା । ସଂଧ୍ୟା ୫ଟାରୁ ୭ଟା ଯାଏଁ ଚାଲିଥିବା କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳାପ୍ରେମୀ ଯୋଗ ଦେଇଥିଲେ । ସ୍ପେନରେ ଜନ୍ମ ଗ୍ରହଣ କରିଥିବା ପିକାସୋଙ୍କ ଜୀବନର ବୃହତ ଭାଗ ପ୍ୟାରିସରେ ବିତାଇଛନ୍ତି । ବିଶ୍ୱର ଶ୍ରେଷ୍ଠ ପ୍ରଭାବଶାଳୀ କଳାକାର ଭାବେ ବିବେଚିତ ଏହି ସ୍ରଷ୍ଟା କ୍ୟୁବିଷ୍ଟ ଆନ୍ଦୋଳନର ଯୁଗ୍ମ ପୁରୋଧା ବୋଲି କୁହାଯାଏ ।

କ୍ୟୁବିଷ୍ଟ କଳା କହିଲେ, ବସ୍ତୁଗୁଡିକୁ ଭାଙ୍ଗିବା ପରେ ତାକୁ ଯୋଡି ଏକ ବିମୂର୍ତି ରୂପ ଦେବା । ବସ୍ତୁକୁ ଏକ ନିର୍ଦ୍ଧିଷ୍ଟ ଦୃଷ୍ଟିକୋଣରୁ ନଦେଖି, ଭିନ୍ନ ଭିନ୍ନ ଦୃଷ୍ଟିକେଣରୁ ପରସ୍ତ ପରସ୍ତ ବହୁଳତା ଭିତରେ ଏକ ଘନକ୍ଷେତ୍ରର ଚିତ୍ରାବଳୀ ସୃଷ୍ଟି କରିବା । କ୍ୟୁବିଷ୍ଟ କଳା ସହ ୟୁରୋପୀୟ ଚିତ୍ରକଳା ଓ ଭାସ୍କର୍ଯ୍ୟରେ ବିପ୍ଳବ ସୃଷ୍ଟି କରିଥିଲେ । ଏହାସହ ସଂଗୀତ, ସାହିତ୍ୟ ଓ ସ୍ଥାପତ୍ୟରେ ଅନୁରୁପ ବିପ୍ଲବ ପାଇଁ ପ୍ରେରଣା ଯୋଗାଇଥିଲେ ପିକାସୋ । ଜଣେ କାଳଜୟୀ କଳାକାର ଓ ଜଣେ ରଙ୍ଗୀନ ମିଜାଜର ବ୍ୟକ୍ତିତ୍ୱ ହିସାବରେ ପିକାସୋଙ୍କ ଚରିତ୍ରଙ୍କୁ ନେଇ ଅନେକ ଚଳଚିତ୍ର ନିର୍ମାଣ କରାଯାଇଛି । ତାଙ୍କ ଦ୍ୱାରା ନିର୍ମିତ ଚତିକଳା ଗୁଡିକର ନିଲାମରୁ ଉପାର୍ଜିତ ଅର୍ଥ ପରିମାଣ ସବୁଠାରୁ ଅଧିକ । ଏଥିପାଇଁ ୨୦୧୫ ସୁଦ୍ଧା ପିକାସୋ ବିଶ୍ୱର ସର୍ବଶ୍ରେଷ୍ଠ କଳାକାର ରୂପେ ପରିଗଣିତ ହୁଅନ୍ତି ।