କନକ ବ୍ୟୁରୋ: ରାତି ପାହିଲେ କଂସ ରାଜୁତି । ଆସନ୍ତାକାଲି ଠାରୁ ୧୧ ଦିନ ଯାଏଁ ବରଗଡରେ ଚାଲିବ କଂସରାଜ । ବିଶ୍ୱପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚରେ ମୁହଁରେ ରଙ୍ଗ ପାଉଡର ମାରି କଂସଙ୍କ ଦରବାରରେ ଅଭିନୟ କରିବେ କଳାକାର । ଆଉ ଏହା ପୂର୍ବରୁ ଗୁରୁମାଆଙ୍କ ଆଶୀର୍ବାଦ ନେଇଛନ୍ତି କଂସ ମହାରାଜ । ଏଥରର ଧନୁଯାତ୍ରା ଭଲରେ ଭଲରେ ହେଉ, ଏହି ଉଦ୍ଦେଶ୍ୟ ନେଇ ଗୁରୁମାଆଙ୍କ ଠାରୁ ଆଜ୍ଞାମାଳ ନେଇଛନ୍ତି କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ।

Advertisment

publive-image

ତେବେ ପରମ୍ପରା ଅନୁସାରେ ବରଗଡ ଧନୁଯାତ୍ରାର ପ୍ରଥମ କଂସ ସ୍ୱର୍ଗତ ଯୁଧିଷ୍ଠୀର ପ୍ରଧାନଙ୍କୁ ଭୁବନେଶ୍ୱର ମହାଗୁରୁ ମାନି ଆସିଛନ୍ତି । ଆଉ ଯୁଧିଷ୍ଠୀରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ଜମ୍ବୁବତୀ ଶତପଥୀଙ୍କ ଠାରୁ ପ୍ରତିବର୍ଷ ଆଶୀର୍ବାଦ ନେଇ ସେ ମଞ୍ଚରେ ଅଭିନୟ କରନ୍ତି ।

ମଞ୍ଚ ଚଢିବା ଆଗରୁ ଆଜି ଗୁରୁମାଆଙ୍କ ପାଦ ଧୋଇ ଦେଇ ତାଙ୍କୁ ଫୁଲମାଳ ପିନ୍ଧାଇ ପ୍ରଣାମ କରିଛନ୍ତି କଂସ ମହାରାଜ । ଭୁବନେଶ୍ୱରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଗୁରୁମାଆଙ୍କ ପାଦ ଧୋଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଆଉ ଗୁରୁମାଆ ମଧ୍ୟ ଚଳିତ ଧନୁଯାତ୍ରା ସୁରୁଖୁରରେ ହେବ ବୋଲି ଆଶୀର୍ବାଦ ଦେଇଛନ୍ତି । ତେବେ ସବୁ ପ୍ରତୀକ୍ଷା ଅନ୍ତ ଘଟାଇ ଆସନ୍ତାକାଲି ସଂଧ୍ୟାରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ।