କନକ ବ୍ୟୁରୋ : ତିଆରି ଚାଲିଛି ଭଳିକି ଭଳି ଡଙ୍ଗା । ବୋଇତ ଡଙ୍ଗା, ମନ୍ଦିର ଡଙ୍ଗା ଭଳି ପ୍ରାୟ ୧୦ରୁ ଅଧିକ ପ୍ରକାରର ଛୋଟ ଠାରୁ ବଡ ଡଙ୍ଗା ତିଆରି ଚାଲିଛି । ପରିବାରର ସମସ୍ତ ସଦସ୍ୟ, ଡଙ୍ଗା ତିଆରିରେ ଲାଗିଛନ୍ତି । କିଏ ସୋଲରେ ରଂଗ ଦେଉଥିବାବେଳେ, ଆଉ କେହି ରଂଗବେରଂଗର କାଗଜରେ ଅଠା ଲଗାଇ ଡଙ୍ଗା ତିଆରି କରୁଛନ୍ତି । କଟକ ଜିଲ୍ଲା ସାଲେପୁର ସପନପୁର ଗାଁର ଚିତ୍ର । ଏହି ଗାଁର ଅଧିକାଂଶ ପରିବାର ଡଂଗା ତିଆରି କରି ବର୍ଷକର ଗୁଜୁରାଣ ମେଂଟାଇଥାନ୍ତି । ଏବର୍ଷ ଭଲ ଦିପଇସା ରୋଜଗାର ହେବ ବୋଲି ଆଶା ରଖିଛନ୍ତି ।

Advertisment

ବହୁ ବର୍ଷ ହେଲା ଏହି ଗାଁର କାରିଗରମାନେ ଡଂଗା ତିଆରି କରିଥାନ୍ତି । ବିଶେଷକରି ପରିବାରର ମହିଳାମାନେ ଘରକାମ ସାରିବା ପରେ ବଳକା ସମୟରେ ଡଂଗା ତିଆରି କରିଥାନ୍ତି । ଆଉ ଡଙ୍ଗା ତିଆରି ସରିବା ପରେ ସେଗୁଡିକୁ ସାଲେପୁର ବଜାର, କଟକ ତଥା ଆଖପାଖ ଅଂଚଳକୁ ବିକ୍ରୟ ପାଇଁ ନେଇଥାନ୍ତି ।

ପରିବାର ପ୍ରତିପୋଷଣ ପାଇଁ ବର୍ଷକରେ ଥରେ ଏହି ବ୍ୟବସାୟ ହୋଇଥାଏ । କିନ୍ତୁ କାରିଗରଙ୍କ କହିବା କଥା ଟଙ୍କା ରୋଜଗାର ପାଇଁ ନୁହେଁ ବରଂ ଡଂଗା ତିଆରି କଳାକୁ ବଂଚାଇ ରଖିବା ପାଇଁ ସେମାନେ ଏହାକୁ ତିଆରି କରୁଛନ୍ତି ।