କନକ ବ୍ୟୁରୋ : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୁମ୍ଭାରଗୁଡା ଗାଁର କୁମ୍ଭାରଶାଳର ଚିତ୍ର କିଛି ଭିନ୍ନ ବୟାନ କରୁଛି । ପାରମ୍ପାରିକ ଚକ ବଦଳରେ ଏବେ ବିଦ୍ୟୁତ୍ ଓ ସୌର ଚାଳିତ ଚକରେ ତିଆରି ହେଉଛି ମାଟି ସାମଗ୍ରୀ । ପ୍ରତିବର୍ଷ ଦୀପାବଳି ସମୟରେ ମାଟି ଦିପର ଚାହିଦା ଅହେତୁକ ଭାବେ ବଢି ଯାଇଥାଏ । ଆଉ ଦିନ କେଇଟା ପରେ ଦୀପାବଳି ହୋଇଥିବାରୁ ମାଟି ଦୀପ ପ୍ରସ୍ତୁତ କରିବା ଲାଗି ଦିନ ରାତି ଏକ କରି ଦେଇଛନ୍ତି ମାଲକାନଗିରି କୁମ୍ଭାରଗୁଡା ଗାର କୁମ୍ଭକାର । କିଏ ମାଟି ଚକଟିବାରେ ଲାଗିଛନ୍ତି, ତ କିଏ ମାଟିରୁ ଗୋଡି ପଥର ଅଲଗା କରୁଛନ୍ତି । ଆଉ ସେହି ମାଟିକୁ ବିଦ୍ୟୁତ ଚକ ଉପରେ ଭିନ୍ନ ଭିନ୍ନ ଆକାରର ଦୀପ ତିଆରି କରୁଛନ୍ତି କୁମ୍ଭକାର ।

Advertisment

ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ୧୭ଟିି ସୌର ଓ ୨୦ଟି ବିଦ୍ୟୁତ ଚାଳିତ ଚକ୍ ପ୍ରଦାନ କରିଛନ୍ତି । ତେବେ କିଛି କାରିଗର ଏବେ ବି ପାରମ୍ପରିକ ପ୍ରଣାଳୀରେ ମାଟି ଚକ ବ୍ୟବହାର କରୁଛନ୍ତି । ଆଉ ୩୭ଟି ମୋଟର ଚାଳିତ ଚକ୍ ସମେତ ପ୍ରାୟ ୨୦ ଟି କାଠ ଚକରେ ଏବେ ପ୍ରସ୍ତୁତ ହୋଉଛି ଦୀପ ଓ ପୁଜା ସାମଗ୍ରୀ । କାରଣ ପ୍ରତିବର୍ଷ ଏକ ଲକ୍ଷରୁ ଉଦ୍ଧ୍ୱର୍ ମାଟି ଦୀପ କେବଳ ଏହି କୁମ୍ଭାରଗୁଡା କୁମ୍ଭାରଶାଳରେ ଉତ୍ପାଦନ ହୋଉଥିବା ବେଳେ ଏବେ ଏହି ମୋଟର ଚାଳିତ ଚକ୍ ଆସିବା ପରେ ଦେଢରୁ ଦୁଇ ଲକ୍ଷ ଦୀପ ପ୍ରସ୍ତୁତ କରି ୪ ରୁ ୫ ଲକ୍ଷ ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛନ୍ତି ୪୦ଟି କୁମ୍ଭକାର ପରିବାର । ଆଉ ବ୍ୟବସାୟୀ ମାନେ ମଧ୍ୟ ଏଠାରୁ ବିଭିନ୍ନ ମାଟି ସାମଗ୍ରୀ ନେଇ ଦୁଇ ପଇସା ରୋଜଗାର କରୁଛନ୍ତି ।

ପୁର୍ବରୁ ଏହି କୁମ୍ଭାରଗୁଡାର କୁମ୍ଭାର ମାନେ ଭଙ୍ଗା ଦଦରା କୁମ୍ଭାରଶାଳରେ ବିପଦ ସଙ୍କୁଳ ଅବସ୍ଥାରେ କାମ କରୁଥିଲେ । ଖରା ବର୍ଷାରେ କାମ ବନ୍ଦ ରହୁଥିଲା । ତେବେ ମାଲାକନଗିରି ବ୍ଲକ ପକ୍ଷରୁ ଏସ.ସି.ଏ ଓ ମନରେଗା ଯୋଜନାରେ ପ୍ରାୟ ୯ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ସ୍ଥାୟୀ ଶେଡ୍ ନିର୍ମାଣ କରାଯାଇଛି । ଆକଂକ୍ଷୀ ଯୋଜନା ଅନୁଦାନରେ ସୌର ଓ ବିଦ୍ୟୁତ ଚକ୍ ପ୍ରଦାନ କରାଯାଇଛି  । ମିଶନ ଶକ୍ତି ପକ୍ଷରୁ ୪ ଟି ଏସଏଚଜିକୁ ନେଇ ଜୟ ଜଗନ୍ନାଥ ପ୍ରଡ୍ୟୁସର ଗୃପ ଗଠନ କରାଯାଇ ମହିଳାଙ୍କୁ ଟେରାକୋଟା ସାମଗ୍ରୀ ପ୍ରସୁତିର ତାଲିମ ଦିଆଯାଇଛି । ମହିଳା ମାନେ ସୁନ୍ଦର ସୁନ୍ଦର ମାଟି ତିଆରି ଘରକରଣ ଓ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ସେଗୁଡିକ ବିକ୍ରୀ କରି ଦୁଇ ପଇସା ରୋଜଗାର କରୁଛନ୍ତି ।

କୁମ୍ଭାରଗୁଡା ଗାଁର ପ୍ରାୟ ୪୦ ପରିବାରର ୧୦୦ ରୁ ଉଦ୍ଧ୍ୱର୍ ସଦସ୍ୟ ଏହି କୌଳିକ ବୃତି ମାଧ୍ୟମରେ ପରିବାର ପ୍ରତିପୋଷଣ କରନ୍ତି । ଆଉ ବର୍ଷ ତମାମ ଯାହା ବ୍ୟବସାୟ ହୋଉ ଥିଲେ ହେଁ ଦୀପାବଳି ସମୟରେ କିନ୍ତୁ ପ୍ରତିଟି ସଦସ୍ୟ ମାସିକ ୧୦ ରୁ ୨୫ ହଜାର ଟଙ୍କା ରୋଜଗାର କରନ୍ତି । ଆଉ ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ମାନଙ୍କରେ ଏଠାକାର ମାଟି ସାମଗ୍ରୀର ବେଶ ଚାହିଦା ରହିଛି ।