କନକ ବ୍ୟୁରୋ: ଦିଲ୍ଲୀରେ ବାୟ ପ୍ରଦୂଷଣ ସାଂଘାତିକ ସ୍ତରକୁ ଚାଲିଯାଇଛି । ଆଉ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି ନେଇଛନ୍ତି । ଗତକାଲି ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନଭେମ୍ବର ୨୦ରୁ ବର୍ଷା କରାଇବାକୁ ତାରିଖ ଧାର୍ଯ୍ୟ କରାଯାଇଛି । ଆଇଆଇଟି କାନପୁର ଏ ସଂକ୍ରାନ୍ତ ଚୂଡାନ୍ତ ଯୋଜନା ଦିଲ୍ଲୀ ସରକାରଙ୍କୁ ଉପଲବ୍ଧ କରାଇଛି । ତେବେ ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର ।

Advertisment

ଯଦି ନଭେମ୍ବର ୨୦-୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଲେ ବର୍ଷା କରାଯିବ । ଆଉ ଏହା ହେବ ଦେଶରେ ପ୍ରଥମ ବୈଜ୍ଞାନିକ ପଦ୍ଧତି ଅନୁସାରେ କୃତ୍ରିମ ବର୍ଷା । କୃତ୍ରିମ ବର୍ଷା ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଏୟାରକ୍ରାଫ୍ଟ ଜରିଆରେ ଆକାଶରେ ସିଲଭର ଆୟୋଡାଇଡ ବୁଣି ଦିଆଯାଏ । ବାଦଲ ସଂପର୍କରେ ସିଲଭର ଆୟୋଡାଇଡ୍ ଆସିବା ମାତ୍ରେ ଦ୍ରୁତ ଗତିରେ ବର୍ଷା ସୃଷ୍ଟିକାରୀ ବାଦଲ ବଢିଯାଏ ଏବଂ ବର୍ଷା ହୋଇଥାଏ । ବୈଜ୍ଞାନିକାନେ ଏହାକୁ କ୍ଲାଉଡ ସିଡିଂ ବୋଲି କହିଥାନ୍ତି । ଭାରତରେ ପ୍ରଥମ ଥର ପାଇଁ ଏହି କୃତ୍ରିମ ବର୍ଷା କରାଇବାକୁ ଯୋଜନା ହୋଇଛି ।