ଉତ୍ତରାଖଣ୍ଡର କୃତ୍ରିମ ହ୍ରଦ ପାଖରେ ପହଞ୍ଚିଲା ଆଇଟିବିପି ଓ ଡିଆରଡିଓ ଟିମ୍ । ସ୍ଥିତିର ସମୀକ୍ଷା ପାଇଁ ରହିବ ୫ ଜଣିଆ ଟିମ୍ । ନିର୍ମାଣ ହେବ ଅସ୍ଥାୟୀ ହେଲିପ୍ୟାଡ୍

475

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦକୁ ନେଇ ଚିନ୍ତା ବଢିବାରେ ଲାଗିଥିବା ବେଳେ ଆଇଟିବିପି ଓ ଡିଆରଡିଓର ଟିମ ହ୍ରଦ ନିକଟରେ ପହଂଚିଛନ୍ତି । ଚମୋଲି ଠାରୁ ଉପରେ ଥିବା ମୁରେଣ୍ଡା ଠାରେ ଏହି କୃତ୍ରିମ ହ୍ରଦ ଉପରେ ନଜର ରଖିଛି ଆଇଟିବିପି ଓ ଡିଆରଡିଓ ଟିମ । ଏହାସହ ୫ଜଣଙ୍କୁ ନେଇ ଗଠିତ ଟିମ ଏଠାରେ ରହିବ ଏବଂ ଏକ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରିବ । ଯାହାଦ୍ୱାରା ବିଶେଷଜ୍ଞ ଟିମ ଯିବା ସହ ଅନ୍ୟ ଉପକରଣ ମଧ୍ୟ ପହଂଚାଯାଇପାରିବ । ଏହି କୃତ୍ରିମ ହ୍ରଦ ଉପରେ ନଜର ରଖାଯିବା ସହ ହ୍ରଦରୁ ପାଣି ବାହାର କରିବା ପାଇଁ ବାଟ ମଧ୍ୟ ବାହାର କରାଯିବ ।

ରୈନି ଗାଁ ଠାରୁ ଉଚ୍ଚରେ ସୃଷ୍ଟି ହୋଇଥିବା ଏହି ହ୍ରଦ ନିକଟରେ ପଂହଚିବା ପାଇଁ ୫ରୁ ୬ଘଂଟା ସମୟ ଲାଗୁଛି । ଏହା ପୂର୍ବରୁ ଆକାଶମାର୍ଗରୁ ଏହି ହ୍ରଦ ଉପରେ ନଜର ରଖାଯାଇଥିବା ବେଳେ ଏହାର ସାଟେଲାଇଟ ଫଟୋ ମଧ୍ୟ ସଂଗ୍ରହ କରାଯାଇଥିଲା । ହିମସ୍ଖଳନ ହୋଇଥିବା ସ୍ଥାନରୁ ପ୍ରାୟ ୩ରୁ ୪କିଲୋମିଟର ଦୂରରେ ଏହି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ତେବେ ଡିଆରଡିଓ ଓ ଆଇଟିବିପି ଏହା ଉପରେ ନଜର ରଖିଛନ୍ତି ।

ହିମସ୍ଖଳନରେ ଭାସି ଆସିଥିବା ମାଟି ଓ ପଥର ଯୋଗୁଁ ଋଷିଗଙ୍ଗା ନଦୀର ପ୍ରବାହ ବନ୍ଦ ହୋଇଯାଇଛି । ଫଳରେ ଏଠାରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ସେଠାରେ ପାଣି ଜମା ହୋଇ ଏହାର ଆକାର ବଢିବାରେ ଲାଗିଛି । ତେବେ ପାଣି ବଢିବା ସହିତ ମାଟି ବନ୍ଧ ଦୁର୍ବଳ ହେଲେ ଏହା ଯେକୌଣସି ମୁହୁର୍ତରେ ଫାଟି ଯାଇପାରେ ।

ଫେବୃଆରୀ ୭ ତାରିଖରେ ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ପ୍ରକୃତର କରାଳ ରୂପ ଦେଖିବାକୁ ମିଳିଥିଲା । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ମାଡି ଆସିଥିଲା ଜଳସ୍ରୋତ । ଏହାର ଶିକାର ହୋଇଥିଲା ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ । ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସୁଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଇଥିଲା । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଏବେ ଘଟଣାର ୭ଦିନ ପରେ ବି ଶତାଧିକ ଲୋକ ନିଖୋଜ ରହିଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।