ଅକାତକାତ ପାଣି ଭିତରେ ସହର ଗଢିବ ମଣିଷ । ସମୁଦ୍ର ଭିତରେ କୋଟି କୋଟି ଟନ୍ ମାଟି ପକାଇ ଏହି ଦେଶ ନିର୍ମାଣ କରିବ ନୂଆ ସହର ।

467

କନକ ବ୍ୟୁରୋ : ସମୁଦ୍ର ଭିତରେ ବନିବ ସହର ? ସମୁଦ୍ରରେ ପଡିବ କୋଟି କୋଟି ଟନ୍ ମାଟି । ସମୁଦ୍ର ପୋତାହେବ ଆଉ ସହର ଗଢିଉଠିବ । ସମୁଦ୍ର ଭିତରେ କୋଟି କୋଟି ଟନ୍ ମାଟି ପକାଇ ନିର୍ମାଣ ହେବାକୁ ଯାଉଛି ଏକ ନୂଆ ସହର । ଏମିତି କି ଛୋଟମୋଟ ସହର ନୁହେଁ, ପାଣି ଭିତରେ ତିଆରି ହେବାକୁ ଯାଉଥିବା ଏହି ଦ୍ୱୀପରେ ପାଖାପାଖି ୩୫ ହଜାର ଲୋକ ରହିପାରିବେ । ଆଉ ଆଧୁନିକ ସହର ଭଳି ଏଠାରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏଭଳି ଏକ ନୂଆ ସହର ନିର୍ମାଣ କରିବାକୁ ଯାଉଛି ଡେନମାର୍କ । ଡେନମାର୍କର ସଂସଦରେ ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିସାରିଛି । କୁହାଯାଉଛି, କୋପେନହେଗନ ବନ୍ଦରକୁ ସମୁଦ୍ରର ବଢୁଥିବା ଜଳସ୍ତରରୁ ରକ୍ଷା କରିବା ପାଇଁ ଏହି କୃତ୍ରିମ ଦ୍ୱୀପର ନିର୍ମାଣ କରାଯିବ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯେ କେମିତି ସମୁଦ୍ରର ଅକାତକାତ ପାଣି ଭିତରେ ନୂଆ ସହରଟିଏ ନିର୍ମାଣ ହେବ ।

ଡେନମାର୍କରେ ହେବାକୁ ଥିବା ଏହି ନୂଆ ଦ୍ୱୀପର ଚାରିପଟେ ଏକ ବନ୍ଧ ତିଆରି କରାଯିବ । ଯେମିତିକି ସମୁଦ୍ରର ବଢୁଥିବା ଜଳସ୍ତର ଏବଂ ତୋଫାନର ଲହରୀରୁ ବନ୍ଦରକୁ ରକ୍ଷା କରାଯାଇପାରିବ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପର ଆକାର ପାଖାପାଖି ୪୦୦ଟି ଫୁଲବଲ ପଡିଆ ଆକାରର ହେବ । ଆଉ ଯେଉଁଥିପାଇଁ ସମୁଦ୍ରକୁ ପୋତିବାକୁ ପାଖାପାଖି ୮କୋଟି ଟନ୍ ମାଟିର ଆବଶ୍ୟକତା ପଡିବ ।

ତେବେ ଡେନମାର୍କ ସରକାର ଏହି ପ୍ରୋଜେକ୍ଟକୁ ଇତିହାସର ସବୁଠୁ ବଡ ନିର୍ମାଣ ପରିଯୋଜନା ବୋଲି କହୁଥିବା ବେଳେ, ଏହାକୁ ବିରୋଧ କରିଛନ୍ତି ପରିବେଶବିତ୍ । ପରିବେଶବିତଙ୍କ କହିବା କଥା, ସମୁଦ୍ର ଭିତରେ ଏପରି କୃତ୍ରିମ ଦ୍ୱୀପର ନିର୍ମାଣ ଦ୍ୱାରା ସମୁଦ୍ର ଜଳର ଗୁଣାବତା ନଷ୍ଟ ହୋଇଯିବ । ଆଉ ଏହି ପ୍ରୋଜେକ୍ଟ କାମ ଆରମ୍ଭ ହେଲେ, ଏଥିପାଇଁ କଂଚା ମାଲ୍ ନେବା ପାଇଁ ପାଖାପାଖି ୩୫୦ ଟ୍ରକ୍ ପ୍ରତିଦିନ ଯାଆସ କରିବେ । ଫଳରେ ରାସ୍ତାରେ ନାକେବଳ ଗାଡି ଗୁଡିକର ଭିଡ ବଢିବ ବରଂ ପ୍ରଦୂଷଣ ମଧ୍ୟ ଅନେକ ମାତ୍ରାରେ ବଢିଯିବ । ତେଣୁ କରି କଂଚା ମାଲ୍ ନେବା ପାଇଁ ବିକଳ୍ପ ଯୋଜନା ଚିନ୍ତା କରୁଛନ୍ତି ଡେନମାର୍କ ସରକାର । ଆଉ ହୁଏତ ଏଥିପାଇଁ ବିଦ୍ୟୁତ ଦ୍ୱାରା ଚାଲୁଥିବା ଟ୍ରକର ବ୍ୟବହାର କରାଯାଇପାରେ ।