କନକ ବ୍ୟୁରୋ : ଆର୍ଟିଫିସିଆଲଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ଏହାକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ଏକ ନୂଆ ବିତର୍କ । ଏହି ଆର୍ଟିଫିସିଆଲର ଇଣ୍ଟେଲିଜେନ୍ସକୁ ନେଇ ପରୀକ୍ଷା ନିରିକ୍ଷା ବନ୍ଦ କରାନଗଲେ ଭବିଷ୍ୟତରେ ଏହା ମାନବ ସମାଜ ପ୍ରତି ଏକ ବଡ ବିପଦ ଆଣିଦେଇ ପାରେ । ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ଏହାକୁ ନେଇ ଟ୍ୱିଟ୍ କରି ଏଆଇ ବା ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।

Advertisment

କେବଳ ଏଲନ୍ ମସ୍କ ହିଁ ନୁହଁନ୍ତି ଆପଲର ସହ ପ୍ରତିଷ୍ଠାତା ଷ୍ଟିବ୍ ୱଜନିଆକଙ୍କ ସମେତ ଶିକ୍ଷା ଓ ପ୍ରଯୁକ୍ତି ଜଗତର ଏକ ହଜାରରୁ ଅଧିକ ବିଶେଷଜ୍ଞ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବିରୋଧ କରିଛନ୍ତି । ଏଆଇକୁ ନେଇ ଆଜି ଯେଉଁ ଝଡ ସୃଷ୍ଟି ହୋଇଛି ଏହା ପଛରେ ରହିଛି ‘ଚାଟ୍ ଜିପିଟି’ । ବିଶ୍ୱରେ ଏବେ ଚାଟ୍ ଜିପିଟିର ଲୋକପ୍ରିୟତା ବଢିବାରେ ଲାଗିଛି । ଆମେରିକୀୟ ଷ୍ଟାର୍ଟ ଅପ୍ ସଂସ୍ଥା ‘ଓପନ୍ଏଆଇ’ ଏହି ଆପ୍ଲିକେସନକୁ ବିକଶିତ କରିଛି । ସରଳ ଭାଷାରେ କହିବାକୁ ଗଲେ ଲୋକେ ଏହାକୁ ଗୁଗୁଲ ସର୍ଚ ଇଞ୍ଜିନ୍  ଭଳି ବ୍ୟବହାର କରୁଛନ୍ତି । ଏଥିରେ ଯାହା ପ୍ରଶ୍ନ କଲେ, ସବୁ ପ୍ରଶ୍ନର ଉତର ବେଶ ପ୍ରାଞ୍ଜଳ ଭାବେ ଆସି ଯାଉଛି ।

ନିକଟରେ ଏକ ହତ୍ୟାମାମଲାରେ ଜାମିନ ଶୁଣାଣିବେଳେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଚାର୍ଟ ଜିପିଟି ବ୍ୟବହାର କରିଥିଲେ । ଅପରାଧ ଅତ୍ୟନ୍ତ ଜଘନ୍ୟ ଥିବାରୁ ଜାମିନ୍ ନାମଞ୍ଜୁର ହୋଇଥିଲା । ପରେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଚ୍ୟାଟ୍ ଜିପିଟିର ବ୍ୟବହାର ମାମଲାର ଫଇସଲା ପାଇଁ କରାଯାଇ ନଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେଲେ ଚାର୍ଟ ଜିପିଟି ଲଞ୍ଚ ହେବାର ମାତ୍ର ୫ ଦିନ ଭିତରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୧ ମିଲିଅନ୍ ଅତିକ୍ରମ କରି ଯାଇଥିଲା ।

ଇତିହାସରେ କୌଣସି ପ୍ରଡକ୍ଟ, ସର୍ଭିସର ଅବା କୌଣସି ଟେକ୍ନୋଲୋଜିର ବ୍ୟବହାର ଏତେ ମାତ୍ରାରେ ଏତେ କମ୍ ଦିନ ଭିତରେ ଦେଖିବାକୁ ମିଳିନାହିଁ । ଏବେ ଏହା କେବଳ ଡେଭଲପିଂ ଷ୍ଟେଜରେ ଅଛି । ଏହାକୁ ନେଇ ଆହୁରି ଅନୁଧ୍ୟାନ ଜାରି ରହିଛି । ଯେବେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ, କେତେ ଭୟଙ୍କର ହେବ ଥରେ ଚିନ୍ତା କରନ୍ତୁ ।

କ’ଣ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ?

- ମଣିଷର ମସ୍ତିଷ୍କ ଯେଉଁ ଭଳି କାମ କରୁଛି ତାର ପ୍ରଯୁକ୍ତି ରୂପ ହେଉଛି ଏଆଇ
- ମଣିଷ ମସ୍ତିଷ୍କର ଅବିକଳ ଭାବନା କମ୍ପୁଟର ଓ ଫୋନ୍ରେ ମିଳିପାରୁଛି
- ମସ୍ତିଷ୍କର ଭାବନାକୁ କମ୍ପ୍ୟୁଟର କୋଡ୍ ଜରିଆରେ ନୂଆ ରୂପ ଦିଆଯାଇଛି
- ମଣିଷ ଭଳି ମେସିନ୍ ବି ଭାବି ପାରୁଛି
- ମଣିଷକୁ ପ୍ରଶ୍ନ କଲେ ଯେପରି ଉତ୍ତର ଆସେ ସେଭଳି ଉତ୍ତର ଦେଉଛି ମେସିନ୍
- କୃତ୍ରିମ ଉପାୟରେ ଏହି ଶକ୍ତିକୁ ବିକାଶ କରାଯାଇଥିବାରୁ ଏହାକୁ କୃତ୍ରିମ ବୁଦ୍ଧିମତା କୁହାଯାଉଛି

ବେକାରୀ ସମସ୍ୟା ବଢାଇବ ‘ଏଆଇ’!

- ଦିନତୁ ଦିନ ଉନ୍ନତ ହେଉଛି କୃତ୍ରିମ ବୁଦ୍ଧିମତା
- ପାରମ୍ପରିକ ଚାକିରି ପ୍ରତି ବଡ଼ ବିପଦ ‘ଏଆଇ’
- ମଣିଷ ମସ୍ତିଷ୍କ କାମ କରୁଛି ‘ଏଆଇ’
- ଆଗାମୀ କିଛି ମାସ ଭିତରେ ବହୁ ଚାକିରି ଉଭାନ୍ ହେବାର ସମ୍ଭାବନା
- ଆର୍ଥିକ ସଂସ୍ଥା ‘ଗୋଲ୍ଡମ୍ୟାନ୍ ସଚ୍ସ’ର ଆକଳନ
- ୩୦ କୋଟି ସ୍ଥାୟୀ ଚାକିରି ପ୍ରଭାବିତ ହେବ
- ‘ଏଆଇ’ ପାଇଁ ଶ୍ରମ ବଜାରରେ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହେବ