ଜଳସେଚନ ପ୍ରକଳ୍ପ ହେଲା, ହେଲେ ମରୁଡ଼ି ବେଳେ ଜମିକୁ ଯାଇପାରୁନି ପାଣି । ଇନ୍ଦ୍ରାବତୀ ପ୍ରକଳ୍ପର କେନାଲ ଭୁଷୁଡିବା ପରେ କଳାହାଣ୍ଡିର ୬୬ ଗାଁରେ ବଢ଼ିଲା ଚାଷୀଙ୍କ ଚିନ୍ତା, ବର୍ଷା ହେଉନି, କେମିତି ହେବ ଚାଷ ।

174

କନକ ବ୍ୟୁରୋ : ଚାଷ ଜମିକୁ ପାଣି ଦେବାକୁ ସରକାର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକାରୀ କଲେ । ଜଳଭଣ୍ଡାରରୁ ପାଣି କେନାଲ ଦେଇ ଚାଷ ଜମିକୁ ଛାଡିବାକୁ ବ୍ୟବସ୍ଥା କଲେ । ଆଶ୍ଚର୍ଯ୍ୟର କଥା ହେଉଛି ପାଣି ଯେତେବେଳେ ଅଧିକା ପରିମାଣର ଆସିଲା, ସେତେବେଳେ କଂକ୍ରିଟ କେନାଲ ଭୁଶୁଡିଗଲା । ଏବଂ ବାଲି ବସ୍ତା ପକାଇ ଜଳସମ୍ପଦ ବିଭାଗ ତାର ମରାମତି କଲା । ଏହାର କି ପ୍ରଭାବ ପଡିଲା ତାହା କଳାହାଣ୍ଡି ଦଣ୍ଡପାଟ ଅଂଚଳର ୬୬ଟି ଗାଁର ଶୁଖିଲା ଜମି ଦେଖିଲେ ସ୍ପଷ୍ଟ ବାରି ହୋଇପଡିବ । ହୁଏତ ଚାଷୀର ଦୁଖ ବୁଝିବାକୁ ଅଧିକାରୀ ସେଠି ନଥିବେ ହେଲେ ନିଜର ଚାଷ ବଂଚାଇବାକୁ କ୍ଷେତ ପାଖରେ ଜଗି ବସିଛି ଚାଷୀ ।

ଶୁଖିଲା କ୍ଷେତ ବୟାନ କରୁଛି କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଂଚଳର ଚାଷ ଓ ଚାଷୀର ଦୁଃଖ । ବର୍ଷା ନଥିବାରୁ ଚାଷ କେମିତି ହେବ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ । କେଉଁଠି ପାଣି ଅଭାବରୁ ଧାନ ରୁଆ ହୋଇପାରିନି ତ କେଉଁଠି ଚାଷୀ କଷ୍ଟେମଷ୍ଟେ କ୍ଷେତରେ ଧାନ ରୋଇଥିଲେ ବି ମାଟି ଫାଟି ଆଁ କଲାଣି । ବର୍ଷା ନଥିବାରୁ ଚାଷ ପାଇଁ ଏବେ ଜଳସେଚନ ହିଁ ଭରସା । ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କୁ ଆଗରୁ ଏମତି କିଛି ଭରସା ବି ଦେଇଥିଲା । ହେଲେ ଏବେ ତାହା ବି ଚାଷୀଙ୍କ କାମରେ ଆସିପାରୁ ନାହିଁ । ଇନ୍ଦ୍ରାବତୀରେ ପାଣି ତ ଅଛି ହେଲେ ଚାଷୀକୁ ଏଥିରୁ କିଛି ଲାଭ ମିଳିପାରୁ ନାହିଁ ।

କୋକସରା ଓ ଧର୍ମଗଡ଼ ବ୍ଳକର ୬୬ଟି ଗ୍ରାମକୁ ନେଇ ଦଣ୍ଡପାଟ ଅଂଚଳ କୁହାଯାଏ । ଏହି ଅଂଚଳରେ ଚାଷୀଙ୍କ କ୍ଷେତକୁ ପାଣି ଯିବ ଓ ଉପଯୁକ୍ତ ଭାବେ ଜଳସେଚନ ହୋଇପାରିବ, ଏହି ଉଦ୍ଦେଶ୍ୟରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ହେଲେ ଏବେ ଯେତେବେଳେ ଚାଷୀ ଏହାର ସବୁଠୁ ବେଶୀ ଆବଶ୍ୟକତା ଅନୁଭବ କରୁଛନ୍ତି, ତାହା କାମରେ ଆସୁନି । ଗତ କିଛି ମାସ ତଳେ ଇନ୍ଦ୍ରାବତୀ ବାମପାଶ୍ୱର୍ କେନାଲ ଭୁଶୁଡି ପ୍ରାୟ ୪୦ ହେକ୍ଟର ଚାଷ ଜମିରେ ପାଣି ମାଡି ଯାଇଥିଲା । ଅଧିକ ପାଣି ଛାଡ଼ିଲେ କାଳେ ପୁଣି କିଛି ଅଘଟଣ ଘଟିବ, ଏହି ଆଶଙ୍କାରେ କେନାଲରେ ଅଧିକ ପାଣି ଛାଡ଼ୁ ନାହାନ୍ତି, ଆଉ ଏହାର କୁପରିଣାମ ଭୋଗୁଛନ୍ତି ନିରୀହ ଚାଷୀ । ଏପଟେ ବର୍ଷା ଦାଉ ସାଧିଛି, ଅନ୍ୟପଟେ ଜଳସେଚନର ଅବ୍ୟବସ୍ଥା, ଏସବୁ ଭିତରେ ନିଜ ଚାଷ ବଞ୍ଚାଇବାକୁ ଅହରହ ସଂଘର୍ଷ କରୁଛନ୍ତି ଚାଷୀ ।