ଗଛର ଗଣ୍ଡିରେ ଫୁଟାଇଛନ୍ତି କଳାକୃତି : ସମରେନ୍ଦ୍ରଙ୍କ ସ୍ପର୍ଶରେ ଜୀବନ୍ତ ହୋଇଛି ନିର୍ଜୀବ ବସ୍ତୁ; କାଠରୁ ସାବୁନ, ବାଉଁଶରେ ତିଆରି କରିଛନ୍ତି କଳାକୃତି

115

କନକ ବ୍ୟୁରୋ : କୁହାଯାଏ ଯଦି ମଣିଷ ପାଖରେ ନିଖୁଣତା ରହିଛି, ତାହା କୋଉଠି ନା କୋଉଠି ଆପଣାଛାଏଁ ବାହାରକୁ ଆସିଯାଏ । ତୁଳୀ ରଙ୍ଗ ହେଉ, କିମ୍ବା ଚିକିଟା ମାଟି ଆଉ ଅଙ୍ଗୁଳିର ସ୍ପର୍ଶ । ଭାବନା ଆପେ ଆପେ ଚିତ୍ରର ରୂପ ନିଏ, ଆଉ ସେମିତି କିଛି ଦେଖିବାକୁ ମିଳିଛି, ସମରେନ୍ଦ୍ରଙ୍କ କ୍ଷେତ୍ରରେ । ସେ ବନେଇଥିବା କଳାକୃତି ଗୁଡିକୁ ଦେଖିଲେ ଅନୁମାନ କରାଯାଇପାରିବ, ଖାଲି ଚିତ୍ରଶିଳ୍ପୀ କାହିଁକି, କେଉଁଠି ନା କେଉଁଠି, ପ୍ରତିଟି ମଣିଷ ପାଖରେ ରହିଛି ଚିତ୍ରଶିଳ୍ପୀର କାରିଗରୀ କୌଶଳ ।

 

ରଙ୍ଗ ତୁଳୀ ନୁହେଁ କି କାନଭାସ୍ ନୁହେଁ , ଗଛର ଗଣ୍ଡିରେ ଫୁଟି ଉଠୁଛି ଅନେକ ମହାନ ବ୍ୟକ୍ତିଙ୍କ ଚେହେରା । ମୟୂରଭଞ୍ଜ ଜିଲ୍ଲା ବେତନତୀ ବ୍ଲକ୍ ଦହିକୋଟି ପଂଚାୟତ ଆଗଡା ଗାଁର ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା । ପେଶା ଅଧ୍ୟାପକ ହୋଇଥିବା ବେଳେ ଋଚି ଚିତ୍ର ଆଙ୍କିବା । କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଦୀର୍ଘ ଦିନ ହେଲା ଘରେ ରହିଛନ୍ତି ସମରେନ୍ଦ୍ର । ଏହାରି ଭିତରେ କିଛି ନୂଆ କରିବା ପାଇଁ ବିନା ରାସାୟନିକ ରଙ୍ଗରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ମୁହଁର ଚିତ୍ର ଆଙ୍କୁଛନ୍ତି ।

 

ପିଲାଟି ଦିନରୁ ଚିତ୍ରକଳା ପ୍ରତି ସମରେନ୍ଦ୍ରଙ୍କ ଅହେତୁକ ଆଗ୍ରହ ରହିଥିଲା । ସମରେନ୍ଦ୍ର ପେନ୍ କି ପେନସିଲଟିଏ ପାଇଲେ ଅଙ୍କାବଙ୍ଗା ଗାର ପକାଇ ଭଳିକି ଭଳି ଚିତ୍ର ଆଙ୍କି ପକାଉଥିଲେ । ଯୁକ୍ତ ୨ ପାଠ ପଢା ପରେ ପରିବାର ପ୍ରୋତ୍ସାହନରେ ବାଲେଶ୍ୱର ସ୍ଥିତ ଆର୍ଟ ଆଣ୍ଡ କ୍ରାଫ୍ଟ ବିଭାଗରେ ନାମ ଲେଖାଇଥିଲେ । ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତର ପାଠ ପଢିଥିଲେ ଏବଂ ୨୦୧୮ରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଘରୋଇ କଳା ମହାବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି ।

ସାବୁନ, ନଡିଆ ସଢେଇ, ବାଉଁଶ ଆଦି ସାମଗ୍ରୀରେ ସମରେନ୍ଦ୍ର ବିଭିନ୍ନ ପ୍ରକାର ଆକୃତି ତିଆରି କରିବା ସହ ବ୍ୟାବହାରିକ ସାମଗ୍ରୀ ବି ନିର୍ମାଣ କରନ୍ତି । କାର୍ଡବୋର୍ଡରେ ବି ତିଆରି କରନ୍ତି ଥ୍ରୀ-ଡି ଚିତ୍ର । ସମରେନ୍ଦ୍ର ନିଜ ଆର୍ଥିକ ଅଭାବ ଯୋଗୁଁ କଳାର ବିକାଶରେ ଅସୁବିଧା ଭୋଗିଥିବା ବେଳେ ଗରୀବ ପିଲାଙ୍କୁ ମାଗଣାରେ ଚିତ୍ରକଳା ଶିଖାଇବାର ସ୍ୱପ୍ନ ଦେଖିଛନ୍ତି ।