ଅସିଦ୍ଧ ହେଲା ୧୬୦ ବର୍ଷ ତଳର ଆଇନ, ରଦ୍ଦ ହେଲା ଧାରା ୩୭୭ । ସୁପ୍ରିମକୋର୍ଟ କହିଲେ, ଏଣିକି ସହମତିରେ ସଂପର୍କ ରଖିପାରିବେ ଦୁଇ ପ୍ରାପ୍ତ ବୟସ୍କ ସମଲିଙ୍ଗି

62

କନକ ବ୍ୟୁରୋ : ଆଜି ସମଲିଙ୍ଗୀଙ୍କ ପାଇଁ ଐତିହାସିକ ଦିନ । ବର୍ଷ ବର୍ଷ ଧରି ନ୍ୟାୟିକ ଲଢ଼େଇ ପରେ ସେମାନଙ୍କୁ ବଞ୍ଚିବାର ସମାନ ଅଧିକାର ଦେଇଛନ୍ତି ସୁପ୍ରିମକୋର୍ଟ । ଆଇପିସିର ଧାରା ୩୭୭କୁ ଖାରଜ କରିବା ସହ ସମଲିଙ୍ଗି ସଂପର୍କକୁ ଅପରାଧ ମୁକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବ୍ରିଟିଶ ଅମଳରୁ ଅର୍ଥାତ୍ ୧୬୦ ବର୍ଷ ଧରି ଯେଉଁ ଆଇନ ଏଲଜିବିଟି ସମୁଦାୟଙ୍କ ପାଇଁ ଆତଙ୍କ ସାଜିଥିଲା, ସେହି ଆତଙ୍କରାଜ କବଳରୁ ସେମାନଙ୍କୁ ମୁକ୍ତ କରାଯାଇଛି । ସୁପ୍ରିମକୋର୍ଟ କହିଛନ୍ତି, ପ୍ରାପ୍ତ ବୟସ୍କ ସମଲିଙ୍ଗିମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ ସଂପର୍କ ରଖିପାରିବେ । ଏହା ମାନସିକ ବିକାର ନୁହେଁ, ଏହା ସଂପୂର୍ଣ୍ଣ ବାଓଲୋଜିକାଲ୍ ।

ସୁପ୍ରିମକୋର୍ଟ ଏପରି ଐତିହାସିକ ରାୟ ଦେଇଛନ୍ତି, ଯାହା ଫଳରେ ବର୍ଷ ବର୍ଷ ଧରି ଚାଲି ଆସିଥିବା ନିଷ୍ଠୁର ଆଇନ ଅସିଦ୍ଧ ହୋଇଯାଇଛି । ଏଣିକି ପ୍ରାପ୍ତ ବୟସ୍କ ସମଲିଙ୍ଗିମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ ସଂପର୍କ ରଖିପାରିବେ । ଏକାଠି ରହିପାରିବେ, ଯୌନ ସଂପର୍କ ସ୍ଥାପନ ରଖିପାରିବେ । ଏପରିକି ସ୍ୱାମୀ-ସ୍ତ୍ରୀ ଭଳି ଚଳିବାରେ କୌଣସି ବାଧା ରହିବ ନାହିଁ । ଧାରା ୩୭୭ରେ ଏହା ଅପରାଧ ଥିବା ବେଳେ ଏହାକୁ ଖାରଜ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ସମଲିଙ୍ଗି ସଂପର୍କ ଅସ୍ୱାଭାବିକ ନୁହେଁ । ତେଣୁ ଏହା ଅପରାଧ ନୁହେଁ । ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇରେ ବିଜୟୀ ହେବା ପରେ ଏଲଜିବିଟି କମ୍ୟୁନିଟି ଓ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ସଂଗଠନ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଧାରା ୩୭୭ । ବ୍ରିଟିଶ ଅମଳରୁ ଚାଲି ଆସିଥିବା ଆଇପିସିର ଏହି ଧାରା ସମଲିଙ୍ଗି ଯୌନ ସଂପର୍କକୁ ଅପରାଧ ଆଖ୍ୟା ଦେଇଥିଲା । ଏଥିରେ ୧୦ବର୍ଷ କିମ୍ବା ଆଜୀବନ କାରାଦଣ୍ଡାଦେଶର ବ୍ୟବସ୍ଥା ଥିଲା । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଧାରାକୁ ଖାରଜ କରିବା ସହ, ଦୁଇ ବୟସ୍କଙ୍କ ମଧ୍ୟରେ ସହମତି ଭିତିରେ ସମଲିଙ୍ଗି ସଂପର୍କକୁ ଅପରାଧ ମୁକ୍ତ କରିଛନ୍ତି । କୋର୍ଟ କହିଛନ୍ତି, ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଂଚିବାର ଅଧିକାର ଅଛି ।

ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ରୋହିଂଟନ ନରିମନ, ଜଷ୍ଟିସ ଏଏମ ଖାନବିଲ୍କର, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏକ ମତରେ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଇତିହାସକୁ ବଦଳା ଯାଇପାରିବ ନାହିଁ କିନ୍ତୁ ଭଲ ଭବିଷ୍ୟତ ପାଇଁ ରାସ୍ତା ବାହାର କରାଯାଇ ପାରିବ ବୋଲି ମତ ଦେଇଛନ୍ତି ସୁପ୍ରିମକୋର୍ଟ ।

ଜଣେ ଦାର୍ଶନିକ ଉକ୍ତିକୁ ଉଦ୍ଧାର କରି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି, “ଜଣେ ଯାହା, ତାଙ୍କୁ ସେହି ରୂପରେ ଗ୍ରହଣ କରାଯାଉ । ସମସ୍ତଙ୍କୁ ସମାନ ଅଧିକାର ସୁନିଶ୍ଚିତ କରିବାକୁ ହେବ । ସମଲିଙ୍ଗି ସମ୍ପର୍କକୁ ନେଇ ଲୋକଙ୍କୁ ନିଜ ଚିନ୍ତାଧାରାରେ ପରିବର୍ତନ ଆଣିବାକୁ ହେବ ।”
ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି, “ଏଲଜିବିଟି ସମୁଦାୟଙ୍କୁ ବ୍ରିଟିଶ ଆଇନର ଜଂଜାଳରୁ ମୁକ୍ତ କରିବାକୁ ପଡ଼ିବ । ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବାକୁ ହେବ ।” ଜଷ୍ଟିସ ରୋହିଂଟନ ନରିମନ କହିଛନ୍ତି, “ସମଲିଙ୍ଗି ସଂପର୍କ ମାନସିକ ବିକାର ନୁହେଁ ।”

କେନ୍ଦ୍ର ସରକାର ଧାରା ୩୭୭ ସପକ୍ଷରେ ମତ ଦେଇଥିଲେ । ତେବେ ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ଶୁଣାଣି କରି ଜୁଲାଇ ୧୭ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ସାରା ଦେଶର ଏହା ଉପରେ ନଜର ଥିଲା, ଆଜି ଏହି ଐତିହାସିକ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।