କରୋନା ମୁକାବିଲା ପାଇଁ ତତ୍ପର ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ । ରାୟଗଡା ସହରରେ ୧୪୪ ଧାରା ଜାରି, କେନ୍ଦ୍ରାପଡାରେ ଯାତ୍ରା ପରିବେଷଣ ଉପରେ ଲାଗିଲା ରୋକ ।

365

କନକ ବ୍ୟୁରୋ : କରୋନାକୁ କିଭଳି ମୁକାବିଲା କରାଯାଇପାରିବ ସେନେଇ ତତ୍ପର ହୋଇଉଠିଛନ୍ତି ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ । କରୋନାର କୌଣସି ଔଷଧ ବାହାରିନଥିବାରୁ ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ କିଭଳି ଆୟତରେ ରଖାଯାଇପାରିବ ସେଥିପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି । ବିଶେଷକରି ଭିଡକୁ ଏଡାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ ।

କରୋନାକୁ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ସହରରେ ୧୪୪ ଧାରା ଜାରି କରାଯାଇଛି । ୧୦୦ ଲୋକରୁ ଅଧିକ ଜମା ହେବା ଉପରେ କଟକଣା ଲଗାଯାଇଛି । ଏହାଛଡା ବ୍ଲକସ୍ତରୀୟ ଅଧିକାରୀ ସିଏଚସି, ପିଏଚସିମାନଙ୍କର ଥିବା ଡାକ୍ତରଙ୍କୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳିନ ପରସ୍ଥିତି ପାଇଁ ପ୍ରତ୍ୟେକ ପଂଚାୟତରେ ୧୦୦ ଲୋକ ରହିବା ପାଇଁ ଏକ ଗୃହ ଚିହ୍ନଟ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲେ ମଧ୍ୟ ସେମାନଙ୍କ ଉପରେ କଡା ନଜର ରଖିବାକୁ ନିଷ୍ପତି ନିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ସଚେତନତା ଓ ସତର୍କତା ଉପରେ ଜୋର ଦିଆଯାଇଛି । କେନ୍ଦ୍ରାପଡାରେ ମଧ୍ୟ କରୋନା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଅଧିକ ଲୋକ ଏକାଠି ହେଉଥିବାରୁ ଯାତ୍ରା ପରିବେଷଣ ଉପରେ ରୋକ୍ ଲଗାଯାଇଛି । ଦେଶର ସର୍ବାଧିକ କରୋନା ସଂକ୍ରମିତ ହୋଇଥିବା ବାଣିଜ୍ୟକ ରାଜଧାନୀ ମୁମ୍ବାଇରେ ମଧ୍ୟ ଜନ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ୧୪୪ ଧାରା ଜାରି କରିଛି ସ୍ଥାନୀୟ ପ୍ରଶାସନ ।