ଗଣ୍ଠିବାତ ରୋଗ । ବର୍ତମାନର ଜୀବନରେ ଏବେ ଅଧିକାଂଶ ଲୋକ ଏହି ଗଣ୍ଠିବାତ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଲୋକମାନେ ନିଜ ନିତିଦିନିଆ କାମ ଠିକ୍ ଭାବେ କରିପାରୁନାହାଁନ୍ତି । ଆଉ ହାତ ଗୋଡରେ ପ୍ରବଳ ଯନ୍ତ୍ରଣାର ଶିକାର ହେଉଛନ୍ତି । କାହାର ହାତରେ ଯନ୍ତ୍ରଣା ହେଉଛି, ତ ଆଉ କାହାର ଗୋଡରେ ଯନ୍ତ୍ରଣା ହେଉଛି । ଆଜିର ଦିନରେ ଅଂଟା ଯନ୍ତ୍ରଣା ମଧ୍ୟ ଅଧିକାଂଶ ଲୋକଙ୍କ ପାଖରେ ଦେଖିବାକୁ ମିଳିଲାଣି । ତେଣୁ ଆଜି ଆସନ୍ତୁ ଜାଣିବା ଏହି ଗଣ୍ଠିବାତ ରୋଗର କାରଣ , ଲକ୍ଷଣ ଆଉ ଚିକିତ୍ସା ବିଷୟରେ...

Advertisment

ଗଣ୍ଠି କହିଲେ ସାଧାରଣ ଭାବରେ ଆମେ ଦୁଇଟି ହାଡର ମିଳନସ୍ଥଳୀକୁ ବୁଝିଥାଉ । ଯାହା ଆମର ନିତିଦିନିଆ ଜୀବନରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରେ । ଯେତେବେଳେ ଏହି ଗଣ୍ଠି ଫୁଲିଯାଏ ଆଉ ଦରଜ କରିବା ଆରମ୍ଭ କରେ ସେତେବେଳେ ଏହାକୁ ଗଣ୍ଠିବାତ ରୋଗ ବୋଲି କୁହାଯାଏ ।

ଗଣ୍ଠିବାତ ରୋଗର କାରଣ କଣ ?
• ସାଧାରଣ ଭାବରେ ବୟସ ବଢିଲେ ଗଣ୍ଠିରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳେ ।
• ଏହାସହ ଗଣ୍ଠିରେ ଅତ୍ୟଧିକ ଚାପ ପଡିଲେ ମଧ୍ୟ ଗଣ୍ଠିବାତ ରୋଗ ହୋଇଥାଏ ।
• ତା ସହିତ ମୋଟା ବ୍ୟକ୍ତିମାନଙ୍କ ପାଖରେ ମଧ୍ୟ ଏହି ଆଣ୍ଠୁଗଣ୍ଠି ବାତ ଦେଖାଦିଏ
• ଆମ ଶରୀରେ ଏକ ରୋଗ ପ୍ରତିରୋଧକ ଶକ୍ତି ରହିଛି, ଜୀବାଣୁ କିମ୍ବା ଭୂତାଣୁ ଆମକୁ ସଂକ୍ରମଣ କଲେ ଏହି ଶକ୍ତି ତା ସହିତ ଲଢିଥାଏ । ଆଉ ଏହି ରୋଗ ପ୍ରତିରୋଧକ ଶକ୍ତି ଗଣ୍ଠିକୁ କ୍ଷତି ପହଞ୍ଚାଇଲେ ଗଣ୍ଠିବାତ ରୋଗ ଦେଖାଦିଏ ।

ଗଣ୍ଠିବାତ ରୋଗର ଲକ୍ଷଣ ?
• ସକାଳୁ ଶୋଇକି ଉଠିବା ପରେ ହାତ ମୁଠା କଲେ ଦରଜ ହେବା
• ସକାଳୁ ସକାଳୁ ଅଂଟା ଦରଜ ହେବା ଗଣ୍ଠିବାତ ରୋଗର ଏକ ଲକ୍ଷଣ
• ସେହିପରି ଅଧିକ କାମ କରିବା ପରେ ଦେହର ବିଭିନ୍ନ ଗଣ୍ଠି ସ୍ଥାନରେ କଷ୍ଟ ବା ଦରଜ ହେବା ଏହି ରୋଗର ଆଉ ଏକ ଲକ୍ଷଣ
• ତା ସହିତ ଶରୀରରେ ୟୁରିକ୍ ଏସିଡର ମାତ୍ରା ବଢିଲେ ମଧ୍ୟ ଗଣ୍ଠିବାତ ରୋଗ ହୋଇଥାଏ ବୋଲି ବିଶେଷଜ୍ଞ ଡାକ୍ତର କହିଥାନ୍ତି

ଗଣ୍ଠିବାତର ରୋଗର ଚିକିତ୍ସା ?

ଗଣ୍ଠିବାତ ରୋଗର ଚିକିତ୍ସା ଦୀର୍ଘଦିନ ଧରି ଚାଲିଥାଏ । ଯଥାଶୀଘ୍ର ଏହାର ଚିକିତ୍ସା ସମ୍ଭବ ନୁହେଁ । ଗଣ୍ଠିବାତ ରୋଗର ଚିକିତ୍ସା ପାଇଁ ସ୍ୱତନ୍ତ୍ର ରୁମାଟୋଲୋଜି ବିଭାଗ ରହିଛି । ତେଣୁ ଗଣ୍ଠିବାତ ରୋଗ ଥିଲେ ଆପଣ ତୁରନ୍ତ ରୁମାଟୋଲୋଜି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ତେବେ ଆପଣଙ୍କୁ ପ୍ରଥମେ କେଉଁ ପ୍ରକାରର ଗଣ୍ଠିବାତ ରୋଗ ହୋଇଛି ତାହା ଜାଣିନିଅନ୍ତୁ । ଆଉ ସେହି ଅନୁସାରେ ଡାକ୍ତରଙ୍କ ପରାମର୍ଶ ସହ ଚିକିତ୍ସା ଆରମ୍ଭ କରନ୍ତୁ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣଙ୍କର ଆଣ୍ଠୁଗଣ୍ଠିରେ ଦରଜ କିମ୍ବା ବିନ୍ଧା ହେଉଛି ତେବେ ଅଧିକ ପେନକିଲର ମେଡିସିନ୍ ଖାଆନ୍ତୁ ନାହିଁ । ଅଧିକ ସମୟ ଧରି ଏହି ମେଡିସିନ୍ ଖାଇଲେ ଏହାର ବିଭିନ୍ନ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇପାରେ । ତାସହିତ ଯଦି ଆପଣ ମୋଟାପଣର ଶିକାର ହୋଇଛନ୍ତି, ଏହାକୁ କମାଇବାକୁ ଚେଷ୍ଟା କରନ୍ତୁ । ନିୟମିତ ବ୍ୟାୟାମ ମଧ୍ୟ ଆପଣଙ୍କୁ ଏହି ରୋଗରୁ ବଞ୍ଚାଇପାରିବ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ସୁସ୍ଥ ଓ ସୁନ୍ଦର ସ୍ୱାସ୍ଥ୍ୟ ନିହାତି ଆବଶ୍ୟକ । ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ । ଆପଣଙ୍କ ସାମାନ୍ୟ ଅସାବଧାନତା ଆପଣଙ୍କୁ ଅସୁବିଧାରେ ପକାଇପାରେ ।