ସ୍କୁଲ ଷ୍ଟାଡିୟମରୁ ମିଳିଲା ମମିତାଙ୍କ ଗଳିତ ମୃତଦେହ । ମିଳିଲା ସୁନା ଚେନ୍, ପାଉଁଜି ଓ ବ୍ୟାଗର କିଛି ଅଂଶ ।

350

କନକ ବ୍ୟୁରୋ : ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣା ରାଜ୍ୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଆକ୍ସନ ମୋଡକୁ ଆସିଥିଲା ବଲାଙ୍ଗୀର ପୁଲିସ । ସନସାଇନ୍ ସ୍କୁଲ ନିକଟ ଷ୍ଟାଡିୟମର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଖୋଳାଯାଇଥିଲା, ଏବଂ ଯାହା ଆଶଙ୍କା କରାଯାଇଥିଲା ସେଇଆ ହେଲା । ସେହି ସ୍ଥାନରୁ ମିଳିଲା, ମମିତାଙ୍କ ଗଳିତ ମୃତଦେହ ।

ସ୍ଥାନ – ସନସାଇନ୍ ସ୍କୂଲ ନିକଟ ଷ୍ଟାଡିୟମ, ମହାଲିଙ୍ଗ, କଳାହାଣ୍ଡି । ସମୟ – ସକାଳ ପ୍ରାୟ ୧୦ଟା । ସ୍କୁଲ ଅଧ୍ୟକ୍ଷା ମମିତା ବେହେରା କେଉଁଠି ଅଛନ୍ତି, କେମିତି ଅଛନ୍ତି ତାକୁ ନେଇ ସନ୍ଦେହ ଭିତରେ, ସକାଳୁ ସକାଳୁ ପୋଲିସ ଷ୍ଟାଡିୟମର ଏକ ସ୍ଥାନକୁ ଖୋଳିବା ଆରମ୍ଭ କରିଥିଲା । ଏହା ଜଣାପଡିବା ପରେ ଷ୍ଟାଡିୟମ ଆଡକୁ ସୁଅ ଭଳି ଛୁଟିଥିଲା ଲୋକଙ୍କ ଗହଳି । କଡା ସୁରକ୍ଷା ବଳୟ ଭିତରେ ଜେସିବି ମେସିନ ସହାୟତାରେ ୭ଫୁଟ ଗଭୀର ପର୍ଯ୍ୟନ୍ତ ମାଟି ତାଡିଥିଲା ପୋଲିସ ।

ତାପରେ ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହୋଇଥିଲା । ମାଟିତଳୁ ଉଦ୍ଧାର ହୋଇଥିଲା ଏକ ଗଳିତ ମୃତ ଦେହ । ଗଳିତ ଶବ ପାଖରୁ ମିଳିଥିଲା ସୁନା ଚେନ, ପାଉଞ୍ଜି ଓ ବ୍ୟାଗ । ଯାହାକି ମମିତାଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଥିବା ପୋଲିସ ସୂଚନା ଦେଇଛି ।

ମାରିବା ପରେ କିଭଳି ପ୍ରମାଣ ନଷ୍ଟ କରି ହେବ, ସେଥିପାଇଁ ଯୋଜନାବଦ୍ଧ ଭାବେ ମୃତ ଦେହକୁ ଏମିତି ମାଟି ତଳେ ପୋତିଦେଇଥିଲେ ଦୃବୃର୍ତ୍ତ । ମୃତ ଦେହ କାହାର ଯେମିତି ଜଣା ନପଡିବ ସେଥିପାଇଁ କାଠ ପଟା ଓ ଟାୟାର ଲଗାଇ ଜାଳି ଦେଇଥିଲେ । ଏପରିକି ଅସ୍ଥି ଖଣ୍ଡିଏ ନମିଳିବ ସେଥିପାଇଁ ରାସାୟନିକ ଦ୍ରବ୍ୟର ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି ।

୮ତାରିଖରେ ବଲାଙ୍ଗୀରରୁ କଳାହାଣ୍ଡି ଯିବାବେଳେ ଅଧାବାଟରୁ ବସରୁ ଓହ୍ଲାଇ ଗୋବିନ୍ଦଙ୍କ ଗାଡିରେ ଯାଇଥିଲେ ମମିତା । ହଷ୍ଟେଲରେ ପହଞ୍ଚିବା ପରେ ସକାଳ ୯ଟା ୫୦ରେ ମା’ଙ୍କୁ ଫୋନ ଯୋଗେ କହିଥିଲେ । କିନ୍ତୁ ତାପରେ ମମିତା ନିଖୋଜ ହୋଇଯାଇଥିଲେ । ଶେଷରେ ମହାଲିଙ୍ଗ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ପରେ ଏହା ମମିତାଙ୍କର ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।

ମହାଲିଙ୍ଗରୁ ଗଳିତ ମୃତ ଦେହ ମିଳିବା ପରେ ପୋଲିସର କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
– ମମିତାଙ୍କୁ ହତ୍ୟା ଓ ପୋତିବା ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି କି ?
– ଅପହରଣ ପରେ ମମିତାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଛି କି ?
– ଗୋବିନ୍ଦଙ୍କ କଳାକାରନାମା ଜାଣିବା ପରେ ମମିତାଙ୍କୁ ହତ୍ୟା କରାଯାଇଛି କି ?
– ନିଜ ସ୍କୁଲରେ ଗୋବିନ୍ଦ ସେକ୍ସ ସ୍କାଣ୍ଡାଲ ଚଳାଇଥିଲେ କି ?
– କାହା ସାହାସରେ ସେ ଏତେ ବଡ ବେଆଇନ ଓ ଅନୈତିକ କାରବାର କରୁଥିଲେ ?