କନକ ବ୍ୟୁରୋ: ଗତକାଲିର ପାକ୍ ବିପକ୍ଷ ମ୍ୟାଚ୍ ମଧ୍ୟରେ ଭାରତୀୟ ଯୁବ ବୋଲର ଅର୍ଶଦୀପ ସିଂହ ଗୋଟିଏ କ୍ୟାଚ୍ ଛାଡ଼ିଦେବାରୁ ବିବାଦ ବଢ଼ିବାରେ ଲାଗିଛି । କିଛି ଅସାଧୁ ବ୍ୟକ୍ତି ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରଲ କରୁଥିବାବେଳେ ଏବେ ଅର୍ଶଦୀପଙ୍କ ୱିକିପିଡ଼ିଆକୁ ନେଇ ବଡ଼ ବିବାଦ ହୋଇଛି । ଅର୍ଶଦୀପଙ୍କ ୱିକିପିଡ଼ିଆରେ କେହି ଜଣେ ଦୃର୍ବୁତ ‘ଖଲିସ୍ତାନୀ’ ଲେଖି ଦେଇଥିବାରୁ ଏହାକୁ ନେଇ ତୁମ୍ଭିତୋଫାନ ହେଉଛି । ଏପରିକି କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତାପ୍ରକଟ କରିବା ସହ ୱିକିପିଡ଼ିଆକୁ ନୋଟିସ୍ ଦେଇଥିବା ସୂଚନା ମିଳିଛି ।
ଏସିଆ କପର ସୁପର-୪ ଷ୍ଟେଜ୍ ମ୍ୟାଚ୍ ଗତକାଲି ଭାରତ-ପାକିସ୍ତାନ ବିପକ୍ଷରେ ଦୁବାଇରେ ଖେଳାଯାଇଥିଲା । ମ୍ୟାଚ୍ ରୋମାଞ୍ଚକର ଥିବାବେଳେ ଭାରତୀୟ ଯୁବ ବୋଲର ଅର୍ଶଦୀପ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ଆସିଫଙ୍କର ଏକ ସହଜ କ୍ୟାଚ୍ ଛାଡ଼ି ଦେଇଥିଲେ । ଯାହା କି ଭାରତ ଉପରେ ଭାରି ପଡ଼ିଲା ଏବଂ ପାକିସ୍ତାନ ୫ ୱିକେଟରେ ଜିତିଗଲା । ଏହା ପରେ ପରେ ଅର୍ଶଦୀପଙ୍କୁ ନେଇ ସୋସିଆଲ ମିଡ଼ିଆରେ ଟ୍ରଲ କରାଯାଉଛି । ହେଲେ ସବୁଠାରୁ ଚିନ୍ତାଜନକ ବିଷୟ ଯେ, ଟ୍ରଲ ଭିତରେ ୱିକିପିଡ଼ିଆରେ ସେହି ଖଲିସ୍ତାନୀ ଲେଖା ଆହୁରୀ ବିବାଦକୁ ଡାକି ଆଣିଛି ।
ଅର୍ଶଦୀପ ଜଣେ ଭାରତୀୟ କ୍ରିକେଟ୍ ଟିମରେ ଉଦୀୟମାନ ଚେହେରା । ଅତ୍ୟନ୍ତ ଉଚ୍ଚକୋଟୀର ବୋଲିଂ ମଧ୍ୟ କରନ୍ତି ଅର୍ଶଦୀପ । ପ୍ରେସର ମ୍ୟାଚରେ ଏମିତି ତ୍ରୁଟି ହୁଏ, କେବଳ ଅର୍ଶଦୀପ କାହିଁକି, ବଡ଼ ବଡ଼ ଖେଳାଳିମାନେ ମଧ୍ୟ ଭୁଲ କରିଛନ୍ତି । ତେଣୁ ଅର୍ଶଦୀପଙ୍କୁ ଏମିତି ଟ୍ରଲ କରିବା ଠିକ୍ ନୁହେଁ ବୋଲି ବଡ଼ ବଡ଼ କିମ୍ବଦନ୍ତୀ କ୍ରିକେଟର ମାନେ ଟ୍ୱିଟ୍ କରି ମତ ପ୍ରକାଶ କରିଛନ୍ତି । ଏପଟେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ଅର୍ଶଦୀପଙ୍କ ୱିକିପିଡ଼ିଆରେ କିଏ ଖଲିସ୍ତାନୀ ଲେଖିଲା ବୋଲି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ୱିକିପିଡ଼ିଆକୁ ଏନେଇ ନୋଟିସ୍ ଦିଆଯାଇଛି ।