ଓଡ଼ିଶା ଖଣି ନିଗମ(ଓଏମ୍ସି) ଦୈତାରୀ ଲୌହ ଖଣିରେ ନିୟୋଜିତ ଠିକାସଂସ୍ଥା କଳିଙ୍ଗ କମର୍ସିଆଲ୍ କମ୍ପାନି(କେସିସି)ର ଷ୍ଟାଫ୍ ବସ୍ ଉପରକୁ କାଲି ରାତି ପ୍ରାୟ ୯ଟା ବେଳେ ତୀର ମାଡ଼ ହୋଇଛି। କର୍ମଚାରୀଙ୍କୁ ନେଇ ଦୈତାରୀ ଟାଉନସିପ୍ କଲୋନିରୁ ବାହାରିଥିବା ଏହି ବସଟି ଘାଟି ରାସ୍ତାର ଦ୍ବିତୀୟ ହମ୍ପ୍ସ ପାଖରେ ଧୀର ଗତି ଥିବା ସୁଯୋଗରେ ୩ ରୁ ୪ ଜଣ ବ୍ୟକ୍ତି ଏହା ଉପରକୁ ଆଖିବୁଜା ତୀର ମାଡ଼ କରିଥିଲେ। ଗୋଟିଏ ତୀର ଉତ୍ତମ ନାମକ ଜନୈକ ଠିକା ଶ୍ରମିକର ବାମ ପଟ ପେଟରେ ଗଳି ଯାଇଛି। ଉତ୍ତମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ସିଟରେ ତୀର ଗଳି ଯାଇଥିବା ବେଳେ ଆଉ ଏକାଧିକ ତୀର ବସର କାଚରେ ବାଜି ଲକ୍ଷ୍ୟ ଭ୍ରଷ୍ଟ ହୋଇଯାଇଛି। ଅପ୍ରତ୍ୟାଶିତ ଆକ୍ରମଣ ଘଟଣାକୁ ନେଇ ବସ୍ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଘଟଣା ସଂପର୍କରେ ଖବର ପାଇଥିଲେ ମଧ୍ୟ ଏହାକୁ ନେଇ ଏଯାବତ୍ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା କହନ୍ତି ଦୈତାରୀ ଥାନା ଅଧିକାରୀ ସସ୍ମିତା ଖିଲାର।
ଚଳନ୍ତା ବସ୍ ଉପରକୁ ଆଖିବୁଜା ତୀର ମାଡ଼ ! ଜଣେ ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
Advertisment
Follow Us