ଭୁବନେଶ୍ୱରରେ କୋକେନ ଜବତ ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଟାର୍ଗେଟରେ ଥିଲେ ହକି ବିଶ୍ୱକପ୍ ପାଇଁ ଆସିବାକୁ ଥିବା ବିଦେଶୀ ପର୍ଯ୍ୟଟକ ।

102

କନକ ବ୍ୟୁରୋ : ରାଜଧାନୀରେ କୋକେନ କାରବାର ଧରାପଡିବା ପରେ ତନାଘନା ଚଲାଇଛି ଏସଟିଏଫ୍ । ଆଉ ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବେଶ ଚିନ୍ତାଜନକ । ଏହାର ଚେର ଦକ୍ଷିଣ ଆଫ୍ରିକାରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ଯାଏଁ ଲମ୍ବିଛି । ତଦନ୍ତକରୁଥିବା ଅଧିକାରୀ କହୁଛନ୍ତି, ଆଗକୁ ରାଜଧାନୀରେ ହକି ବିଶ୍ୱକପ ହେବାକୁ ଥିବାରୁ ନେଟୱାର୍କର ଜାଲ ବିଛାଇବାକୁ ଭୁବନେଶ୍ୱରରେ ଡେରା ପକାଇଥିଲେ କୋକେନ ଦଲାଲ । ଆଉ ତାଙ୍କ ଟାର୍ଗେଟରେ ଥିଲେ ଧନୀ ଘରର କଲେଜ ପଢୁଆ ଯୁବକ ଓ ବିଦେଶୀ ଦର୍ଶକ ।

ରାଜଧାନୀର କୋକେନ କାରବାର । ଦକ୍ଷିଣ ଆଫ୍ରିକାରୁ ଭୁବନେଶ୍ୱର ଭାୟା ଦିଲ୍ଲୀ । ଭୁବନେଶ୍ୱରରୁ କୋକେନ ଜବତ ଘଟଣାରେ ଏସଟିଏଫର ତଦନ୍ତ ଯେତିକି ଆଗଉଛି, ସେତେ ରହସ୍ୟ ଫିଟିବାରେ ଲାଗିଛି । ତଦନ୍ତରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି, ଯାହା ସାରା ଭାରତରେ ଚାଞ୍ଚଲ୍ୟ ଖେଳାଇ ଦେଲା ଭଳି । ଗିରଫ ଦୁଇ ଅଭିଯୁକ୍ତଙ୍କ ପାଖରୁ ଦକ୍ଷିଣ ଆଫ୍ରିକାର ରାଣ୍ଡ୍ ବା ଟଙ୍କା ମିଳିଛି । ତେଣୁ ଏହି କୋକେନର ଚେର ସାଉଥଆଫ୍ରିକା ଯାଏଁ ଲମ୍ବିଥିବା ସନ୍ଦେହ କରାଯାଉଛି । ସେପଟେ ତଦନ୍ତ ବେଳେ ଏସଟିଏଫ ଜାଣିବାକୁ ପାଇଛି ଦିଲ୍ଲୀର ତୁର୍କୀମେନଗେଟରେ ବସି କୋକେନ ମୁଖିଆ ଭୁବନେଶ୍ୱରରେ ଅପରେସନ କରୁଥିଲା ।

ହକି ବିଶ୍ୱକପକୁ ଆଖିରେ ରଖି ଆସିଥିଲା କୋକେନ ! ଟାର୍ଗେଟରେ ଥିଲେ ଧନୀ ଘର ପିଲା, ବିଦେଶୀ ଦର୍ଶକ । ୨୦୨୩ ଜାନୁୟାରୀରେ ରାଜଧାନୀରେ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । କୁହାଯାଉଛି, ଏହାକୁ ଟାର୍ଗେଟ କରି ଏବେଠୁ ଭୁବନେଶ୍ୱରରେ ନେଟୱାର୍କ ବିଛାଇବା ପାଇଁ କାମ ଆରମ୍ଭ କରିଥିଲେ ଧରାପଡିଥିବା ଦୁଇ ଅଭିଯୁକ୍ତ । ଉଦ୍ଦେଶ୍ୟ ଥିଲା ବିଦେଶୀ ଦର୍ଶକଙ୍କୁ କୋକେନ ଭଳି ବିଦେଶୀ ନିଶା ଯୋଗାଇବା ।

ରାଜସ୍ଥାନର ଏହି ଦୁଇ ଅଭିଯୁକ୍ତ ଯେଉଁ କୋକେନ ଭୁବନେଶ୍ୱରକୁ ଆଣିଥିଲେ, ତାହା ଧନୀ ଶ୍ରେଣୀର ବ୍ୟକ୍ତି ଏବଂ ବଡ ବଡ କଲେଜପଢୁଆ ଛାତ୍ରଙ୍କୁ ବିକ୍ରି କରାଯାଇଥାନ୍ତା । କାହିଁକି ନା ଅନ୍ୟ ନିଶା ଦ୍ରବ୍ୟ ଅପେକ୍ଷା କୋକେନର ମୂଲ୍ୟ ଢେର ଅଧିକା । ଆଉ ଏହା ସହଜରେ ମିଳେ ନାହିଁ । ଯାହାର ଦାମ କିଲୋ ପିଛା ୩ କୋଟିରୁ ୭କୋଟି ଟଙ୍କା । ଏବେ ଜବତ କୋକେନର ମାନ ଜାଣିବା ପାଇଁ ଏସଏଫଏସଏଲକୁ ନମୂନା ପଠାଇଛି ଏସଟିଏଫ ।

କେବେଠୁ ଭୁବନେଶ୍ୱର ଆସିଥିଲେ ଏହି କୋକେନ ଦଲାଲ ? କେତେଟି ଜାଗାରେ କୋକେନ ହବ୍ ବନାଇବା ପାଇଁ ଚାଲିଥିଲା ମସୁଧା ? କୋକେନ କାରବାର ପାଇଁ ରାଜଧାନୀର କେଉଁ ଦଲାଲ ସହିତ ହାତ ମିଶାଇଥିଲେ ଦୁଇ ରାଜସ୍ଥାନୀ ଯୁବକ ? ସେମାନେ କେବଳ ଜବତ ହୋଇଥିବା ୨୦୨ ଗ୍ରାମ କୋକେନ ଆଣିଥିଲେ ନା ମାର୍କେଟରେ ପୂର୍ବରୁ ବିକ୍ରି ହୋଇସାରିଛି କିଲୋ କିଲୋ କେକେନ ।