କନକ ବ୍ୟୁରୋ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୀଷ ସିସୋଦିଆ । ଅବକାରୀ ନୀତି ଦୁର୍ନୀତି ମାମଲାରେ ରବିବାର ସିସୋଦିଆଙ୍କୁ ୮ଘଣ୍ଟାର ଜେରା ପରେ ଗିରଫ କରିଥିଲା ସିବିଆଇ । ଏହାର ଗୋଟିଏ ଦିନ ପରେ ମନୀଷ ସିସୋଦିଆ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ସିବିଆଇ ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିବା ମନୀଷ ସିସୋଦିଆଙ୍କୁ ନିରାଶ ହେବାକୁ ପଡିଥିଲା । ମନୀଷ ସିସୋଦିଆଙ୍କ ଆବେଦନକୁ ଖାରଜ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

Advertisment

ଆବେଦନକାରୀ ହାଇକୋର୍ଟ ନ ଯାଇ ସୁପ୍ରିମକୋର୍ଟଙ୍କ କାହିଁକି ଆସିଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି କେଜ୍ରିୱାଲ ସରକାରର ଅନ୍ୟ ଜଣେ ମନ୍ତ୍ରୀ ସତ୍ୟେନ୍ଦ ଜୈନ ମଧ୍ୟ ନିଦ ପଦରୁ ଇସ୍ତଫା ଦେଇଛନ୍ତି । ଦୁର୍ନୀତି ମାମଲାରେ ପୂର୍ବରୁ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିଲେ । ଦିଲ୍ଲୀ ସରକାରରେ ମୋଟ୍ ୬ ଜଣ ମନ୍ତ୍ରୀ ଥିଲେ । କେଜ୍ରିୱାଲ କୌଣସି ବିଭାଗକୁ ନିଜ ପାଖରେ ରଖିନାହାନ୍ତି । ସିସୋଦିଆଙ୍କ ପାଖରେ ୧୮ଟି ବିଭାଗ ଥିଲା । ଏପରି ସ୍ଥିତିରେ ସିସୋଦିଆ ଜେଲରେ ରହିଥିବା ବେଳେ ସରକାର କିପରି ଚାଲିବ ତାହା କେଜ୍ରିୱାଲଙ୍କ ମୁଣ୍ଡ ବିନ୍ଧା ବଢାଇଥିଲା । ଏବେ ଦୁଇ ମନ୍ତ୍ରୀ ଇସ୍ତଫା ଦେବା ପରେ ଖୁବଶୀଘ୍ର ଦିଲ୍ଲୀ କ୍ୟାବିନେଟ୍ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।