www.theweek.in
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଜନୈକ ଭାରତୀୟ ବ୍ୟକ୍ତିକୁ ଆଜି ପଞ୍ଜାବର ଜଳନ୍ଧର ପୁଲିସ୍ ଗିରଫ କରିଛି । ଅର୍ଥ ବିନିମୟରେ ସଂପୃକ୍ତ ବ୍ୟକ୍ତି ଜଣକ ଭାରତୀୟ ସେନାର ଅନେକ ଗୁପ୍ତ ଓ ଗୋପନୀୟ ତଥ୍ୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ହସ୍ତାନ୍ତର କରିଥିବା ସହ ପୁଲଓ୍ଵାମା ଆତଙ୍କବାଦୀ ହାମଲା ପର ଠାରୁ ଭାରତୀୟ ସେନାର ପ୍ରତ୍ୟେକଟି ଗତିବିଧି ଉପରେ ଟିକିନିକି ଖବର ମଧ୍ୟ ଆଇଏସଆଇକୁ ଦେଉଥିଲା । ସଂପୃକ୍ତ ବ୍ୟକ୍ତିର ଗତିବିଧି ଉପରେ ସନ୍ଦେହ ପ୍ରକଟ କରି ପଞ୍ଜାବ ପୁଲିସର ଗୁଇନ୍ଦା ବିଭାଗ ଦୀର୍ଘଦିନ ଧରି ତା’ର ପିଛା କରିବା ପରେ ଶେଷରେ ତାକୁ ଆଜି ଗିରଫ କରିଛି ।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ସଂପୃକ୍ତ ଅଭିଯୁକ୍ତର ନାମ ରାମ କୁମାର। ଏବଂ ତା’ ଘର ଜଳନ୍ଧରର ଫଜିଲକା ଜିଲ୍ଲାରେ। ଜଳନ୍ଧର ମିଲିଟାରି କାଣ୍ଟନମେଣ୍ଟରେ ୨୦୧୩ରୁ ସେ ଜଣେ ଇଲେକ୍ଟ୍ରିସିଆନ୍ ଭାବେ କାର୍ୟ୍ୟ କରୁଥିଲା। ପ୍ରାଥମିକ ତଦନ୍ତ କାଳରେ ସେ ସ୍ୱୀକାର କରି କହିଛି ଯେ ସୋସିଆଲ ମିଡିଆ ଜରିଆରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ତା’ର ଯୋଗସୂତ୍ର ହୋଇଥିଲା। ପରେ, ସେ ଭାରତୀୟ ସେନାର ଅନେକ ଗୁପ୍ତ ଓ ଗୋପନୀୟ ତଥ୍ୟ ସମେତ ଭାରତ-ପାକ୍ ସୀମାନ୍ତରେ ଥିବା ସମସ୍ତ ସେନା ୟୁନିଟର ସ୍ଥାନ ସମେତ ୟୁନିଟର ସବିଶେଷ ତଥ୍ୟ ପ୍ରଦାନ କରିଥିଲା। ଏଥିପାଇଁ ସେ ସେମାନଙ୍କ ଠାରୁ ଅର୍ଥ ମଧ୍ୟ ପାଇଥିଲା।
ଖାଲି ଏତିକି ନୁହେଁ ପୁଲଓ୍ଵାମା ଆତଙ୍କବାଦୀ ହାମଲା ପର ଠାରୁ ଭାରତୀୟ ସେନାର ପ୍ରତ୍ୟେକଟି ଗତିବିଧି ଉପରେ ଟିକିନିକି ଖବର ମଧ୍ୟ ଆଇଏସଆଇକୁ ଦେଉଥିଲା ବୋଲି ମଧ୍ୟ ସ୍ୱୀକାର କରିଛି। ତେବେ, ଏହି କାର୍ୟ୍ୟରେ ରାମ କୁମାର ସହ ଆଉ କିଛି ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରି ପଞ୍ଜାବ ପୁଲିସ୍ ଏସଂପର୍କିତ ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛି।
Follow Us