କଡାକଡି ହେବ ପାର୍ବଣ କଟକଣା : ସିପି କହିଲେ, ରାତି ୮ ପରେ ରାସ୍ତାରେ ବୁଲିଲେ ଅମାନିଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ପୂର୍ବ ପରି ସହଯୋଗ କରିବାକୁ ଟ୍ୱିନସିଟିବାସୀଙ୍କୁ କଲେ ଅନୁରୋଧ

135

କନକ ବ୍ୟୁରୋ : ଜୀବନ ଆଗ, ପାର୍ବଣ ପଛ । ପାର୍ବଣ ପାଇଁ ଆସନ୍ତା ୧୧ ତାରିଖରୁ ଭୁବନେଶ୍ୱର ଓ କଟକରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଅମାନିଆ ହେଲେ ଫାଇନ୍ କଟାଯିବ । ଅଧିକ ଅମାନିଆ ହେଲେ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ପୂର୍ବ ପରି ଟ୍ୱିନସିଟିବାସୀଙ୍କ ସହଯୋଗ କାମନା କରିଛନ୍ତି ପୋଲିସ କମିଶନର । ସେହିପରି ଅଭ୍ୟାସଗତ ଅପରାଧୀଙ୍କ ପାଇଁ ସ୍ପେଶାଲ ଡ୍ରାଇଭ୍ ଚାଲିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

ସେପଟେ, କମିଶନରେଟ୍ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ । ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି । କ୍ୱାଟ୍ ଓ ବାଲିଅନ୍ତା ଥାନା ପୋଲିସ କେସୁରା ଅଂଚଳରୁ ମୃଣାଳ ସାମଲକୁ ଗିରଫ କରିଛି । ତା ନିକଟରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । କମିଶନରେଟ୍ ପୋଲିସ ବର୍ଷେ ମଧ୍ୟରେ ୧୦ କେଜି ବ୍ରାଉନସୁଗାର ଜବତ କରିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ଉଭୟ ଭୁବନେଶ୍ୱର ଓ କଟକ ୟୁପିଡି ପୋଲିସ ୧୦ କେଜି ବ୍ରାଉନସୁଗାର ଜବତ କରିଛି । ଯାହର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ । ସେହିପରି ବର୍ଷେ ମଧ୍ୟରେ ୩୩ଟି ମାମଲା ହୋଇଛି ଓ ୬୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଏହା ସହ ୪୩ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି ।