ସଂସଦୀୟ କ୍ଷେତ୍ର ପାଇଁ ସମରସଜ୍ଜା: ୧୦ଟି ଲୋକସଭା ହେବ ନିର୍ଣ୍ଣାୟକ

551

କନକ ବ୍ୟୁରୋ: ୧୦ଟି ଲୋକସଭା ଆସନ ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଯେଉଁ ଆସନରେ ଜୟ-ପରାଜୟର ବ୍ୟବଧାନ ୩୦ ହଜାରରୁ କମ୍ ଭୋଟ ରହିଥିଲା । ସେହି ସବୁ ଆସନରେ ଦଳ କେମିତି ପ୍ରତିପକ୍ଷଙ୍କୁ ମାତ ଦେବ ସେଥିପାଇଁ ଫୋକସ୍ କରିଛି ।

ମାଡିଆସୁଛି ସାଧାରଣ ନିର୍ବାଚନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ମୁକାବିଲା କରିବା ପାଇଁ ଆରମ୍ଭ ହୋଇଗଲାଣି ସମରସଜା । ସଂସଦୀୟ କ୍ଷେତ୍ରର ଯିଏ ଯେତେ ଆସନ ଜିତିବ, ସେମାନେ ଦିଲ୍ଲୀ ଦରବାରରେ ନିଜର ପ୍ରଭାବ ଓ ପତିଆରା ସେତେ ଜାହିର କରିପାରିବେ । କିନ୍ତୁ ଏଭଳି କିଛି ଏମପି ସିଟ ଅଛି ଯାହା ବାଜିକୁ ପଲଟେଇ ଦେଇପାରେ । କାରଣ ୨୦୧୯ରେ ଏହି ଆସନଗୁଡିକରେ ହୋଇଥିଲା ବିଗ ଫାଇଟ । ବିଜୟ ଓ ପରାଜୟର ବ୍ୟବଧାନ ଥିଲା ୩୦ ହଜାରରୁ କମ ଭୋଟ ।

କୋରାପୁଟ
ଦକ୍ଷିଣ ଓଡିଶାର କଂଗ୍ରେସର ଗଡ଼ । କିନ୍ତୁ ଏହି ଆସନରେ ୨୦୧୯ରେ ରୋଚକ ହୋଇଥିଲା ଲଢେଇ । ବିଜେଡି ପ୍ରାର୍ଥୀଙ୍କୁ ମାତ ଦେଇ ସପ୍ତଗିରି ଉଲ୍ଲାକା ମାତ୍ର ୩ ହଜାର ୬୧୩ ଭୋଟରେ ବିଜୟୀ ହୋଇଥିଲେ । କିଛି ଭୋଟ ଏପଟ ସେପଟ ହୋଇଥିଲେ , ବାଜି ପୁରା ପଲଟି ଯାଇଥାନ୍ତା ।

ପୁରୀ
ଏବେ ସାରା ଦେଶର ନଜର ଶ୍ରୀକ୍ଷେତ୍ର ଉପରେ । କାରଣ ନିକଟରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାକୁ ଯାଉଛି । ଏଠି ପ୍ରତି ରାଜନୈତିକ ଦଳ ନିଜର ଉପସ୍ଥିତ ଜାହିର କରିବା ପାଇଁ ଚେଷ୍ଟା କରୁଛନ୍ତି ।

କିନ୍ତୁ ୨୦୧୯ ନିର୍ବାଚନରେ ସମ୍ବିତ ପାତ୍ର ଓ ପିନାକୀ ମିଶ୍ରଙ୍କ ଭିତରେ ହୋଇଥିଲା ବିଗ ଫାଇଟ । ଶେଷ ମୁହୂର୍ତରେ ମାତ୍ର ୧୧ ହଜାର ୭୧୪ ଭୋଟରେ ଜିତିଥିଲେ ପିନାକୀ । ତେଣୁ ୨୦୨୪ରେ ବି ନିର୍ଣ୍ଣାୟକ ଲଢେଇ ହୋଇପାରେ ବୋଲି ଏବେଠୁଁ ଆକଳନ କରାଗଲାଣି ।

ସମ୍ବଲପୁର
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ଥିବା ନେଇ ସିଗନାଲ ଦେଇ ସାରିଲେଣି । ଧର୍ମେନ୍ଦ୍ରଙ୍କୁ କାଉଂଟର ପାଇଁ ବିଜେଡି ମଧ୍ୟ ସାଂଗଠନିକ ସ୍ତରରେ ତୟାର ହେଲାଣି । ୨୦୧୯ରେ ୯ ହଜାର ୧୬୨ ଭୋଟରେ ସମ୍ବଲପୁର ଆସନରୁ ଜିତିଥିଲା ବିଜେପି । ତେଣୁ ଏହି ଆସନରେ ହାଇପ୍ରୋଫାଇଲ ଲଢେଇ ହେବାକୁ ଯାଉଛି ।

ବାଲେଶ୍ୱର- ପ୍ରତାପ ଷଡଙ୍ଗୀ ଓ ରବି ଜେନାଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ସାପ-ଶିଡିର ଖେଳ ଭିତରେ ମାତ୍ର ୧୨ ହଜାର ୯୫୬ ଖଣ୍ଡ ଭୋଟରେ ଜିତିଥିଲେ ପ୍ରତାପ ଷଡ଼ଙ୍ଗୀ । ତେଣୁ ଏହି ଆସନକୁ ଅକ୍ତିଆର କରିବା ପାଇଁ ଏବେଠୁଁ ଆରମ୍ଭ ହେଲାଣି କସରତ

ମୟୂରଭଂଜ
ଦୌପଦୀ ମୁର୍ମୁ ରାଷ୍ଟପତି ହେବା ପରେ ମୟୁରଭଂଜ ଆସନର ଗୁରୁତ୍ୱ ବଢିଯାଇଛି । ତେଣୁ ଏହି ଆସନ ଉଭୟ ବିଜେଡି- ବିଜେପି ପାଇଁ ସମ୍ମାନର ପ୍ରଶ୍ନ । କିନ୍ତୁ ଏଠି ବି ୨୦୧୯ରେ ହୋଇଥିଲା ନେକ ଟୁ ନେକ ଫାଇଟ । ମୟୂରଭଂଜର ବିଜୟ ବ୍ୟବଧାନ ମାତ୍ର ଥିଲା ୨୫ ହଜାର ୨୫୬ ଭୋଟ । ହେଲେ ପଂଚାୟତ ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ୨୦୨୪ ପାଇଁ ଏଠି ସମରସଜା ଆରମ୍ଭ କରିଦେଇଛି ବିଜେଡି ।

କଡା ଟକ୍କର ଭିତରେ ଭୁବନେଶ୍ୱରରେ ୨୩ ହଜାର ୮୩୯ ଭୋଟରେ ଜିତିଥିଲେ ଅପରାଜିତା ଷଡ଼ଙ୍ଗୀ । କିନ୍ତ ଅପରାଜିତାଙ୍କୁ ଚେକ୍ ଦେବା ପାଇଁ ଏବେଠାରୁ ଶ୍ରୀମୟୀ ମିଶ୍ରଙ୍କୁ ସାମ୍ନାକୁ ଆଣିଛି ବିଜେଡି ।