କନକ ବ୍ୟୁରୋ : ଏତେ ଟଙ୍କା ହୁଏତ ଆପଣ ଆଗରୁ କେବେ ଏକା ସାଙ୍ଗେ ଦେଖିନଥିବେ । ଲକ୍ଷେ କି କୋଟିଏ ନୁହେଁ, ଏକା ସାଙ୍ଗେ ଜବତ ହୋଇଛି ସାଢେ ୪ କୋଟି ଟଙ୍କା । ଆଉ ଏହି ଟଙ୍କା ଗଣିବା ପାଇଁ ସକାଳରୁ ସନ୍ଧ୍ୟା ହୋଇଯାଇଥିଲା । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।

Advertisment

ରାଜସ୍ଥାନର ଡୁଙ୍ଗରପୂରରେ ଗୁଜୁରାଟକୁ ଯାଉଥିବା ଏକ କାର୍ ଜବତ କରିଥିଲା ପୋଲିସ । ଆଉ ଏହି କାର ଭିତରୁ ସାଢେ ୪ କୋଟି ଟଙ୍କା ଜବତ କରାଯାଇଥିଲା । କୁହାଯାଉଛି ଏହି ସମସ୍ତ ଟଙ୍କା ବେଆଇନ୍ ଅର୍ଥାତ ବ୍ଲାକ୍ ମନି । ତେବେ ଏହି ଟଙ୍କା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟଙ୍କା ଦିଲ୍ଲୀରୁ ଗୁଜୁରାଟକୁ ଯାଉଥିଲା । ଏହି ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ, ସ୍ଥାନୀୟ ଡିଏସପି ମନୋଜ ସବାରିୟାଂ କହିଛନ୍ତି, ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରାଯାଉଛି । ପ୍ରାରମ୍ଭିକ ତଦନ୍ତରୁ ଏହି ସବୁ ଟଙ୍କା ବ୍ଲାକ୍ ମନି ବୋଲି ଜଣାପଡିଛି ।

ତେବେ ସବୁଠାରୁ ରୋଚକ ଦୃଶ୍ୟ ଥିଲା, ଯେତେବେଳେ ଜବତ ହୋଇଥିବା ଟଙ୍କାର ପରିମାଣ ଜାଣିବାକୁ ଏହାକୁ ପୋଲିସ ଗଣିବା ଆରମ୍ଭ କରିଥିଲା । ଏତେ ଟଙ୍କା ହାତରେ ଗଣିବା ଅସମ୍ଭବ । ଆଉ ଥାନାରେ ମଧ୍ୟ ଟଙ୍କା ଗଣିବା ମେସିନ୍ ନଥାଏ । ଯେଉଁଥିପାଇଁ ଟଙ୍କା ଗଣିବାକୁ ବ୍ୟାଙ୍କରୁ ମେସିନ୍ ମଗାଇବାକୁ ପଡିଥିଲା । ଆଉ ଆଶ୍ଚର୍ଯ୍ୟକର କଥା ହେଉଛି, ଏତେ ଟଙ୍କା ଗଣିବାକୁ ସକାଳରୁ ସନ୍ଧ୍ୟା ବିତିଯାଇଥିଲା ।

DL8CA X3573 ଏହି ନମ୍ବର କାରକୁ ମଧ୍ୟ ଜବତ କରିଛି ପୋଲିସ । ଏହି ଗାଡିରେ ହିଁ କଳା ଟଙ୍କାର କାରବାର ଚାଲିଥିଲା । ସୂଚନା ଅନୁଯାୟୀ, ବିଛିୱାଡା ଥାନା ଗୁଜୁରାଟର ହିମ୍ମତନଗର ବର୍ଡର ରାସ୍ତାରେ ଅବସ୍ଥିତ । ଜାତୀୟ ରାଜପଥ ଏହି ରାସ୍ତା ଦେଇ ଯାଇଛି । ତେବେ ପ୍ରାୟତଃ ଏହି ରାସ୍ତା ଦେଇ ତସ୍କରୀ, କଳାବଜାରୀ କରାଯାଇଥାଏ । ତେଣୁ ପୋଲିସ ପକ୍ଷରୁ ଏଠାରେ କଡା ଚେକିଂ କରାଯାଉଥିବା ବେଳେ, ଏତେ ପରିମାଣର ଟଙ୍କା ଜବତ ହୋଇଛି ।