ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ବଢ଼ୁଛି ଚିନ୍ତା । ୩ ରାଜ୍ୟକୁ ସତର୍କ କଲା କେନ୍ଦ୍ର, ଦେଶର ଏଯାଏଁ ଡେଲଟା ପ୍ଲସ୍ ଭାରିଆଣ୍ଟର ୪୦ ମାମଲା ଚିହ୍ନଟ ।

495

କନକ ବ୍ୟୁରୋ : ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରେ ଡେଲ୍ଟା ପ୍ଲସ୍ ଭାରିଆଂଟ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି । ଏହି ୩ ରାଜ୍ୟରେ ୪୦ ଜଣ ଡେଲ୍ଟା ପ୍ଲସ ଭାରିଆଂଟ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ସର୍ବାଧିକ ମହାରାଷ୍ଟ୍ରରେ ୨୧ ଜଣ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି ।ଏହାପରେ ଏହି ୩ ରାଜ୍ୟକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ୪୫ହଜାର ସଂଗୃହିତ ସାମ୍ପଲ ଗୁଡିକର ଜେନମ୍ ସିକ୍ୱେନରୁ ଡେଲ୍ଟା ପ୍ଲସ୍ ଭାରିଆଂଟ୍ର ଉପସ୍ଥିତି ସ୍ପଷ୍ଟ ହୋଇଛି । ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ୨ ଜଣ ବ୍ୟକ୍ତି ଗତ ଏପ୍ରିଲ ୫ ଓ ୧୫ ତାରିଖରୁ ସଂକ୍ରମିତ ହୋଇଥିଲେ ।

ଡେଲ୍ଟା ପ୍ଲସ୍ ଭାରତରେ ପ୍ରଥମ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟାର ଏକ ନୂତନ ମ୍ୟୁଣ୍ଟାଟ୍ । ଏହା ଅତ୍ୟଧିକ ସଂକ୍ରାମକ ଏବଂ ମହାରାଷ୍ଟ୍ରରେ ଏଥିପାଇଁ ତୃତୀୟ ଲହର ଆସିପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରାଇଛି ।

ସାରାବିଶ୍ୱରେ ଡେଲ୍ଟା ପ୍ଲସ୍ ଭାରିଆଂଟରେ ଆକ୍ରାନ୍ତ ହେବାର ଏଯାଏଁ ପ୍ରାୟ ୨୦୦ ମାମଲା ସାମ୍ନାକୁ ଆସିଛି । ଆଉ ଏଥିରୁ ୪୦ଟି ମାମଲା କେବଳ ଭାରତର । ସେଥିପାଇଁ ଡେଲ୍ଟା ପ୍ଲସ ୍ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି । ଅନ୍ୟପଟେ ଡେଲ୍ଟା ପ୍ଲସ୍ ଭାରିଆଂଟ ୍ସହ ଲଢିବାରେ ଟିକା କେତେ ଫଳପ୍ରଦ ହେବ, ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି । ଆମେରିକାର ବରିଷ୍ଠ ବିଶେଷଜ୍ଞ ଡକ୍ଟର ଆନ୍ଥନୀ ଫୌସି ଡେଲ୍ଟା ପ୍ଲସ୍ ଭାରିଆଂଟକୁ ନେଇ କହିଛନ୍ତି ଯେ, ଏହା ଅତ୍ୟନ୍ତ ସଂକ୍ରାମକ । ଏହି ମ୍ୟୁଟାଂଟ୍ ଭୂତାଣୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ତୀବ୍ର ଗତିରେ ନଷ୍ଟ କରିଦେଇପାରେ । ସତର୍କ ନରହିଲେ ଏହା ତୃତୀୟ ଲହର ପାଇଁ ମୁଖ୍ୟ କାରଣ ସାଜିପାରେ ବୋଲି ସେ କହିଛନ୍ତି ।

ଦେଶରେ ୨୪ ଘଣ୍ଟାରେ ୫୦,୮୪୮ ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଦେଶରେ କରୋନାର ମୋଟ ସଂକ୍ରମଣ ସଂଖ୍ୟା ୩କୋଟି ୨୮ହଜାର ୭୦୯ରେ ପହଁଚିଛି । ସେହିପରି ୨୪ ଘଂଟାରେ ୧ ହଜାର ୩୫୮ ଜଣ କୋଭିଡରେ ପ୍ରାଣହରାଇଛନ୍ତି ।