ଭାରତ ଛୁଇଁଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ୨୯ଟି ଦେଶରୁ ଏଯାଏଁ ଚିହ୍ନଟ ହେଲେଣି ୩୭୩ ଆକ୍ରାନ୍ତ ।

298

କନକ ବ୍ୟୁରୋ : କରୋନାର ନୂଆ ଭୁତାଣୁ ଓମିକ୍ରନକୁ ନେଇ ବିଶ୍ୱବାସୀଙ୍କ ଚିନ୍ତା ବଢିଥିବା ବେଳେ ଭାରତ ଛୁଇଁଛି ଓମିକ୍ରନ ଭୂତାଣୁ । ଭାରତକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ୨୯ ଟି ଦେଶରେ କାୟା ମେଲାଇସାରିଛି ଓମିକ୍ରନ । କରୋନାର ଏହି ନୂଆ ଭାରିଆଣ୍ଟ ଏଯାଏଁ ମୋଟ୍ ୨୯ଟି ଦେଶର ୩୭୩ ଲୋକଙ୍କୁ ସଂକ୍ରମିତ କରିସାରିଲାଣି ।

ସେପଟେ ଓମିକ୍ରନ ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ଆସନ୍ତା ୧୫ ତାରିଖରୁ ଚାଲିବାକୁ ଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ବିମାନବନ୍ଦର ଗୁଡିକରେ କୋଭିଡ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ମଧ୍ୟ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।

ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ପ୍ରଜାତି ଓମିକ୍ରନ । କାନାଡା, ବ୍ରାଜିଲ, ହଙ୍ଗକଙ୍ଗ, ନେଦରଲାଣ୍ଡ, ବେଲଜିୟମ, ଆଦି ୨୮ଟି ଦେଶ ପରେ ଏବେ ଭାରତରେ ମଧ୍ୟ ଚିହ୍ନଟ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଭାରତରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ଚିହ୍ନଟ ହେଇଛନ୍ତି ୨ ଜଣ ଓମିକ୍ରନ ଆକ୍ରାନ୍ତ । ତେବେ ଏହି ୨ ଆକ୍ରାନ୍ତ ପୁରୁଷ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବଂ ସେମାନଙ୍କ ବୟସ ଯଥାକ୍ରମେ ୬୬ ଏବଂ ୪୬ ବୋଲି ସୂଚନା ମିଳିଛି । ତେବେ କରୋନାର ଏହି ନୂଆ ପ୍ରଜାତି ଓମିକ୍ରନକୁ ଭାରିଆଣ୍ଟ ଅଫ୍ କନର୍ସନ ବୋଲି କହିବା ସହ ଏହା ବିଶ୍ୱ ସମୂହ ପାଇଁ ବଡ ବିପଦ ବୋଲି ଘୋଷଣା କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।