କନକ ବ୍ୟୁରୋ: କରୋନାକୁ ନେଇ ସାରା ଦେଶରେ ତାଲା ବନ୍ଦ ଲାଗିରହିଥିବା ବେଳେ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ଅଭାବନୀୟ ଚିତ୍ର । ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ରେଳ ଷ୍ଟେସନରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ସତେ ଯେମିତି ରେଳ ଷ୍ଟେସନ ପାଲଟିଗଲା ଶ୍ରମିକଙ୍କ ଜନସମୁଦ୍ର ।
ମିଳିଥିବା ସୂଚନା ଅନୁସାରେ ୨୧ଦିନିଆ ତାଲା ବନ୍ଦ ଆଜି ଶେଷ ହୋଇଥିବା ବେଳେ ତାଲା ବନ୍ଦ ସମ୍ପୁର୍ଣ୍ଣ ଉଠିଯିବା ଆଶା କରି ହଜାର ହଜାର ସଂଖ୍ୟାରେ ଆଜି ଶ୍ରମିକ ଏକାଠି ହୋଇଥିଲେ ବାନ୍ଦ୍ରା ଷ୍ଟେସନ ନିକଟରେ । ସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ ଲାଠି ଚାଳନା କରିବାକୁ ପଡିଥିଲା । ତେବେ ସେମାନଙ୍କ କହିବା କଥା ଆମେ ଖାଦ୍ୟ ପାଇଁ ନୁହେଁ ଘରକୁ ଯିବା ପାଇଁ ରେଳ ଷ୍ଟେସନକୁ ପଳେଇ ଆସିଲୁ । ତେବେ ପଶ୍ଚିମବଙ୍ଗ, ଉତର ପ୍ରଦେଶ ସମେତ ଏକାଧିକ ରାଜ୍ୟର ଶ୍ରମିକ ନିଜ ରାଜ୍ୟକୁ ଫେରିଯିବା ଆଶା ନେଇ ଷ୍ଟେସନକୁ ଧାଇଁ ଆସିଥିଲେ । ହେଲେ ସେମାନଙ୍କ ଆଗରେ ପଡ଼ିଥିଲା ଲକଡାଉନ୍ ଲକ୍ଷ୍ମଣରେଖା ।
ସେପଟେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲା ବନ୍ଦକୁ ମେ-୩ ତାରିଖ ଯାଏଁ ବଢାଇ ଦେଇଛନ୍ତି । ବଡ କଥା ହେଉଛି କରୋନା ଆକ୍ରାନ୍ତ ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି ମହାରାଷ୍ଟ୍ର ଆଉ ଠିକ ଏତିକି ବେଳେ ଏପରି ଦୃଶ୍ୟ ସାମନାକୁ ଆସିଛି । ଏପଟେ ସ୍ଥିତିକୁ ନଜରରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/PHOTA.png)