ରାଷ୍ଟ୍ରପତି ଭବନ ରୋଷେଇ ଶାଳରୁ ଆଦିବାସୀ ଖାଦ୍ୟର ମହକ। ଦୌପଦୀଙ୍କ ପ୍ରିୟ ପଖାଳ ସାଙ୍ଗକୁ ସଜନା ଶାଗ

406

କନକ ବ୍ୟୁରୋ: ଦେଶକୁ ନୂଆ ରାଷ୍ଟ୍ରପତି ମିଳିବା ସହ ଭବ୍ୟ ରାଷ୍ଟ୍ରପତି ଭବନରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ପରିବର୍ତ୍ତନ ସବୁ ନୂଆ ରାଷ୍ଟ୍ରପତିଙ୍କ ପସନ୍ଦ ନାପସନ୍ଦକୁ ନେଇ ହୋଇଥାଏ । ଦୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ହୋଇଛନ୍ତି । ସେ ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଭବନରେ କିଛି ପରିବର୍ତ୍ତନ ଦେଖାଯାଇଛି ।

ଦ୍ରୌପଦୀ ମୁର୍ମୁ କାର୍ଯ୍ୟଭାର ସମ୍ଭାଳିବା ପରେ ରାଇସିନା ହିଲର ରୋଷେଇ ଘରେ ଭିନ୍ନ ପରିବେଶ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭବନର ରୋଷେଇ ଶାଳରୁ ଅସୁଛି ପାରମ୍ପରିକ ଆଦିବାସୀ ଖାଦ୍ୟର ମହକ । ବିଶେଷ କରି ପଖାଳ ଭାତ ସାଙ୍ଗକୁ ସଜନା ସାଗ ଭଜା ଅଧିକାଂଶ ସମୟରେ ପ୍ରସ୍ତୁତ ହେବା ନିଶ୍ଚିତ । କାରଣ ଦୌପଦୀଙ୍କ ଏହା ହେଉଛି ସବୁଠୁ ପ୍ରିୟ ଖାଦ୍ୟ ।

ସୋସିଆଲ ମିଡିଆରୁ ଆରମ୍ଭ କରି ବଡ ବଡ ଗଣମାଧ୍ୟମରେ ଦୌପଦୀଙ୍କ ପଖାଳ କଂସା ସାଙ୍ଗକୁ ସଜନା ଶାଗ ଭଜାକୁ ନେଇ ଚର୍ଚ୍ଚା । ପ୍ରତ୍ୟେକ ଓଡିଆଙ୍କ ସବୁଠୁ ପ୍ରିୟ ପଖାଳ । ଓଡିଆଙ୍କ ପିଣ୍ଡ ଯେମିତି ଏହି ପଖାଳରେ ବୋଲି କହିବା ଭୁଲ ହେବ ନାହିଁ । ଖାହିଁକିନା ଯେତେ ୯ ତିଅଣ ୬ଭଜା ହେଲେବି ଯଦି ପେଟରେ ପଖାଳ ଗଣ୍ଡେ ପଡିଗଲା ଆତ୍ମ ପୁରା ଶାନ୍ତି । ପଖାଳ ସାଙ୍ଗକୁ ଆଉ କେଉଁ ଶାଗ ନୁହେଁ ବରଂ ବାଡିରେ ଯେକୌଣସି ସମୟରେ ମିଳିଯାଉଥିବା ସଜନା ଶାଗର ଭଜା । ଦୌପଦୀଙ୍କର ଏହା ସବୁଠାରୁ ପ୍ରିୟ ଖାଦ୍ୟ । ପଦବୀ ଯେତେ ବଡ ହେଉ ପଛେ ଖାଦ୍ୟରେ କିନ୍ତୁ କିଛି ବି ବୁଝାମଣା ନାହିଁ । ଏହି ଖାଦ୍ୟ ତାଙ୍କର ଏତେ ପ୍ରିୟ ଯେ, ଦୌପଦୀ ଯେତେବେଳେ ବି ତାଙ୍କ ଭାଇଙ୍କ ଘରକୁ ମୟୂରଭଞ୍ଜ ଉପରବେଡା ବୁଲିବାକୁ ଯାଆନ୍ତି ଆଗରୁ ଫୋନ କରି କୁହନ୍ତି ପଖାଳ ସାଙ୍ଗକୁ ସଜନା ଶାଗ ଭଜା କରିବାକୁ ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ଜୀବନ ଯେତିକି ସରଳ ତାଙ୍କ ଖାଦ୍ୟପେୟ ତା’ଠୁ ସରଳ । ଘରେ ଯାହା କିଛି ଥାଏ ତାକୁ ସକାଳ ଜଳଖିଆ ଭାବେ ଗ୍ରହଣ କରନ୍ତି । ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ରୁଟି ଖାଇଥାନ୍ତି । ଆଉ ରାତିରେ କେବଳ ଫଳାହାର କରନ୍ତି । ଦୌପଦୀ ଶୁଦ୍ଧ ଶାକାହାରୀ । ୨୦୧୩ରେ ବଡ ପୁଅର ଅକାଳ ବିୟୋଗ ପରେ ଆମିଷ ଭୋଜନ ତ୍ୟାଗ କରିଦେଇଥିଲେ ଦୌପଦୀ ।
ପୁଅର ମୃତ୍ୟୁ ତାଙ୍କୁ ଡିପ୍ରେସନକୁ ନେଇଯାଇଥିଲା, ଯେଉଁଥିରୁ ମୁକୁଳିବାକୁ ସେ ଅଧ୍ୟାତ୍ମ ମାର୍ଗକୁ ବାଛିଥିଲେ । ଏବଂ ପଜାପତି ବ୍ରହ୍ମକୁମାରୀରେ ନିଜକୁ ସାମିଲ କରିଥିଲେ । ସେବେଠୁ ସେ ପିଆଜ ରସୁଣ ବି ଖାଆନ୍ତି ନାହିଁ । ଆଧ୍ୟାତ୍ମ ଜୀବନ, ଶୁଦ୍ଧ ଶାକାହାରୀ ଖାଦ୍ୟ ସାଙ୍ଗକୁ ନିୟମିତ ଯୋଗ ତାଙ୍କୁ ମାନସିକ ଅବସାଦରୁ ମୁକ୍ତି ଦେଇଥିଲା । ତଥାପି ଦୁର୍ଭାଗ୍ୟ ତାଙ୍କ ପିଛା ଛାଡିନଥିଲା । ଦୁଇ ପୁଅଙ୍କ ପରେ ସ୍ୱାମୀ ଓ ପରେ ପରେ ମା’ ଓ ଭାଇଙ୍କୁ ମଧ୍ୟ ହରାଇଲେ ଦୌପଦୀ । ହେଲେ ଆଧ୍ୟାତ୍ମ ଚେତନା ତାଙ୍କୁ ଏହି ଦୁଃଖଦ ସମୟରୁ ପାର କରି କର୍ମ କ୍ଷେତ୍ରରେ ଆଗେଇନେବାରେ ବେଶ ସହାୟକ ହୋଇଥିଲା ।

ନିଜର ଅସୀମ ଧୈର୍ଯ୍ୟ ଓ ଆତ୍ମଶକ୍ତି ଆଜି ତାଙ୍କୁ ମହିମାମଣ୍ଡିତ କରିଛି । ଦୌପଦୀ ହୋଇଛନ୍ତି ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ।