ଅର୍ଣ୍ଣବ ଗୋସ୍ୱାମୀଙ୍କ ବଢିପାରେ ଅଡୁଆ! ଭାଇରାଲ ହେଲା ବାର୍କ ପୂର୍ବତନ ସିଇଓଙ୍କ ସହ ହ୍ୱାଟ୍ସଆପ କଥାବାର୍ତ୍ତାର ସ୍କ୍ରିନସଟ୍ । TRP ଦୁର୍ନୀତି ନେଇ ଚାଟ୍ ହୋଇଥିବା ଦାବି ।

218

କନକ ବ୍ୟୁରୋ: ଫେକ୍ ଟିଆରପି ସ୍କାମରେ ଫସିଥିବା ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଏକ ହ୍ୱାଟ୍ସଆପ ଚାଟ ଭାଇରାଲ ହୋଇଛି । ଯେଉଁଥିରେ ସେ ବାର୍କର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ସହ କଥା ହେଉଛନ୍ତି । ଶୁକ୍ରବାର ଏହି ସ୍କ୍ରିନସଟ ସାମ୍ନାକୁ ଆସିବା ପରେ ଅର୍ଣ୍ଣବଙ୍କ ଅଡୁଆ ବଢିପାରେ । ସୂଚନା ଅନୁସାରେ ଭାଇରାଲ ହୋଇଥିବା ହ୍ୱାଟ୍ସଆପ ଚାଟରେ ଅର୍ଣ୍ଣବ ଗୋସ୍ୱାମୀ ଏବଂ ପାର୍ଥୋ ଦାସଗୁପ୍ତାଙ୍କ ନାଁ ରହିଛି । ୨୦୧୯ରେ ଅର୍ଣ୍ଣବ ଓ ପାର୍ଥୋଙ୍କ ମଧ୍ୟରେ ଟିଆରପିକୁ ନେଇ ଏହି କଥାବାର୍ତା ହୋଇଥିବା ଦାବି କରାଯାଉଛି ।

ଏହାସହ ମୁମ୍ବାଇ ପୋଲିସ ଜବତ କରିଥିବା ୫ଶହ ପୃଷ୍ଠା ବିଶିଷ୍ଟ ହ୍ୱାଟ୍ସଆପ ଚାଟର ଏହା ଏକ ଅଂଶ ବୋଲି କୁହାଯାଉଛି । ମୁମ୍ବାଇ ପୋଲିସ ଏନେଇ କିଛି ସ୍ପଷ୍ଟୀକରଣ ରଖିନାହିଁ । ଏହି ଭାଇରାଲ ହ୍ୱାଟ୍ସଆପ ଚାଟକୁ ନେଇ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ କହିଛନ୍ତି, ସରକାରଙ୍କ ଆଖି ସାମ୍ନାରେ ଅନେକ ସ୍ମାମ ହେଉଛି । ଏଭଳି ଲୋକଙ୍କୁ ଆଇନ ଅନୁଯାୟୀ ଜେଲ ଦଣ୍ଡାଦେଶ ଦେବା ଉଚିତ ବୋଲି ଲେଖିଛନ୍ତି ପ୍ରଶାନ୍ତ ଭୂଷଣ । ଗତବର୍ଷ ଟିଆରପି ସ୍କାମ ନେଇ ଖୁଲାସା ହୋଇଥିିଲା ।