ଜେଲ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ମୁମ୍ବାଇର ତଲୋଜା ଜେଲକୁ ପଠାଇଲା ମହାରାଷ୍ଟ୍ର ପୋଲିସ 

614

କନକ ବ୍ୟୁରୋ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ ପଠାଇ ଦିଆଯାଇଛି । ତାଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇଛି ମହାରାଷ୍ଟ୍ର ପୋଲିସ । ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏହା ପୂର୍ବରୁ ତାଙ୍କୁ ଆଲିବାଗ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ।

ଗତ ବୁଧବାର ଦିନ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ତାଙ୍କୁ ଘରୁ ଘୋଷାଡି ଘୋଷାଡି ପୋଲିସ ନେଇଥିବା ଦେଖାଯାଇଥିଲା । ଏହାସହ ତାଙ୍କୁ ପୋଲିସ ମାଡ ମାରିଥିବା ମଧ୍ୟ ନିଜେ ଅର୍ଣ୍ଣବ ଅଭିଯୋଗ କରିଥିଲେ ।

୨୦୧୮ ମସିହାରେ ଆଲିବାଗର ୫୩ ବର୍ଷିୟ ଇଣ୍ଟେରିୟର ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ । ଅନଭୟଙ୍କ ସୁଇସାଇଡ୍ ନୋଟରେ ଲେଖାଥିଲା, ଅର୍ଣ୍ଣବ ଗୋସ୍ୱାମୀଙ୍କ ନ୍ୟୁଜ ଚ୍ୟାନେଲର ଷ୍ଟୁଡିଓ କାମ ଓ ଅନ୍ୟ ଦୁଇ ମିଡିଆ ହାଉସର ଡିଜାଇନିଂ ବାବଦକୁ ପ୍ରାୟ ୫ଲକ୍ଷ ଟଙ୍କା ବକେୟା ପଡିରହିଛି । ଆର୍ଥିକ ସମସ୍ୟା ଯୋଗୁଁ ଅନଭୟ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରୁ ସ୍ପଷ୍ଟ ହୋଇଥିଲା । ଏନେଇ ୨୦୧୯ରେ ଆଲିବାଗ ପୁଲିସ ଏକ ମାମଲା ରୁଜୁ କରି, କିଛି ଦିନ ପରେ ଫାଇଲକୁ କ୍ଲୋଜ କରିଦେଇଥିଲା । ତେବେ ଅନଭୟଙ୍କ ଝିଅ, ମାମଲା ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଗୃହମନ୍ତ୍ରୀ ।

ରିପବ୍ଲିକ ଟିଭି ସଂପାଦକଙ୍କୁ ଗିରଫ ପରେ ରାଜନେତାଙ୍କ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବିଜେପି ନେତା ଏହାକୁ ଗଣତନ୍ତ୍ର ପାଇଁ କଳା ଦାଗ କହୁଥିବା ବେଳେ ଉଦ୍ଧବ ସରକାର କହିଥିଲେ ଆଇନ ଉପରେ କେହି ନୁହଁନ୍ତି ।