୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ : ଆଲିବାଗ୍ କୋର୍ଟ ଦେଲେ ନିର୍ଦ୍ଦେଶ  

କୋର୍ଟରେ ପୋଲିସର ପରାଜୟ ବୋଲି କହିଲେ ଅର୍ଣ୍ଣବ, ଜାମିନ ଆବେଦନ ନେଇ ଖୁବ୍ ଶୀଘ୍ର ହୋଇପାରେ ଶୁଣାଣି 

517

କନକ ବ୍ୟୁରୋ : ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ମୁମ୍ବାଇ ଆଲିବାଗ୍ କୋର୍ଟ ତାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହାରାଷ୍ଟ୍ର ପୋଲିସ ହେପାଜତ୍କୁ ନେବା ପାଇଁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲଙ୍କ ଅନୁସାରେ ପୋଲିସ ପାଖରେ ଆଉ ତଦନ୍ତ କରିବାକୁ କିଛି ବାକି ନଥିବା ବେଳେ ଆଉ ପୋଲିସ ହେପାଜତକୁ ପଠାଇବାକୁ କୋର୍ଟ ଚାହିଁ ନଥିଲେ ।

ତେବେ ଏଥି ପାଇଁ ୧୮ଟି ଯୁକ୍ତି ରହିଥିବା ନେଇ ସୂଚନା ଦେଇଛନ୍ତି ଅର୍ଣ୍ଣବଙ୍କ ଓକିଲ । ଏହାସହ କୋର୍ଟ ଭ୍ୟାନରେ ଗଲା ବେଳେ ଅର୍ଣ୍ଣବ ଏହା ମହାରାଷ୍ଟ୍ର ପୋଲିସର ପରାଜୟ ବୋଲି କହୁଥିବା ଶୁଣିବାକୁ ମିଳିଥିଲା । ବୁଧବାର ଏକ ନାଟକୀୟ ଭାବରେ ଗିରଫ ହୋଇଥିଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ୨୦୧୮ ମସିହାରେ ଜଣେ ଇଂଟରିଅର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ମହାରାଷ୍ଟ୍ର ପୁଲିସ ସୂଚନା ଦେଇଛି । ତେବେ ଏହି ଘଟଣାକୁ ନେଇ ଗତକାଲିଠାରୁ ଦେଶରେ ଏହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ବୁଧବାର ସକାଳ ୬ଟାରେ ମୁମ୍ବାଇ ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଥିଲା । ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାରେ ଅର୍ଣ୍ଣବ ଯେଭଳି ରିଆ ଚକ୍ରବର୍ତୀଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରି ଟାର୍ଗେଟ କରିଥିଲେ, ଠିକ୍ ସେହିଭଳି ଏକ ଅପରାଧରୁ ତାଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପଟେ ଜାମିନ ପାଇଁ  ତାଙ୍କ ପକ୍ଷରୁ ଆବେଦନ ହୋଇଛି । ପରବର୍ତୀ ସମୟରେ କୋର୍ଟରେ ଏହାର ଶୁଣାଣି ହେବ ବୋଲି ଅର୍ଣ୍ଣବଙ୍କ ଓକିଲ କହିଛନ୍ତି ।