ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଆଶ୍ୱସ୍ତିି । ଶନିବାର ପୁଣି ହେବ ତାଙ୍କ ଜାମିନ ଆବେଦନର ଶୁଣାଣି

230

କନକ ବ୍ୟୁରୋ : ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିବା ପରେ ବୁଧବାର ସଂଧ୍ୟାରେ ଅଲିବାଗ କୋର୍ଟରେ ହାଜର କରିଥିଲା ପୁଲିସ । ପୋଲିସର ବ୍ୟବହାର ଓ ନିର୍ଯାତନା ନେଇ ଦିନ ତମାମ ହାଇଡ୍ରାମା ଚାଲିଥିବା ବେଳେ ଅଲିବାଗ କୋର୍ଟରେ ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ମାମଲାର ଶୁଣାଣି କରୁଥିଲେ ଚିଫ୍ ମାଜିଷ୍ଟ୍ରେଟ ସୁନୟନା ପିଙ୍ଗଲେ । ସେଠାରେ ବି ହାତରେ କ୍ଷତ ହୋଇଥିବା ଦର୍ଶାଇ ଉଚ୍ଚ ସ୍ୱରରେ ମ୍ୟାଜିଷ୍ଟ୍ରେଟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ଅର୍ଣ୍ଣବ ।

ଏପରିକି ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ଥିବା ଡାଏସ୍ ଉପରେ ଚଢ଼ିବାକୁ ମଧ୍ୟ ଉଦ୍ୟମ କରିଥିଲେ । ହାତରେ ଥିବା କ୍ଷତ ଚିହ୍ନକୁ ଭଲ ଭାବେ ଦେଖାଇବାକୁ ଚାହୁଁଥିଲେ ଅର୍ଣ୍ଣବ ।

ଏପରି ଆଚରଣରେ ବିରକ୍ତ ହେବା ସହ କୋର୍ଟର ଡେକୋରମ୍ ରକ୍ଷା କରିବାକୁ ତାଗିଦ କରିଥିଲେ ମାଜିଷ୍ଟ୍ରେଟ୍ ସୁନୟନା ପିଙ୍ଗଲେ । କୋଭିଡ୍ ସଂକ୍ରମଣ ରୋକିବାକୁ ଲଗାଯାଇଥିବା ପ୍ଲାଷ୍ଟିକ୍ ପାଟିସନ୍ ବାହାରକୁ ନ ଆସିବା ପାଇଁ କହିଥିଲେ ମାଜିଷ୍ଟ୍ରେଟ୍ । ଖାଲି ଏତିକି ନୁହେଁ, ଜଣେ ଅଭିଯୁକ୍ତ ଭଳି ଆଚରଣ କରିବା ସହ କୋର୍ଟ କାର୍ଯ୍ୟରେ ବାଧା ନଦେବାକୁ ଚେତାବନୀ ଦେଇଥିଲେ ମାଜିଷ୍ଟ୍ରେଟ୍ ସୁନୟନା ପିଙ୍ଗଲେ ।

କୋର୍ଟ ଚାଲିଥିବା ବେଳେ ଅର୍ଣ୍ଣବ କିଭଳି ଆଚରଣ କରିଥିଲେ, କହିଛନ୍ତି ପ୍ରତିପକ୍ଷ ଓକିଲ ବିଳାସ ନାୟକ । ଅର୍ଣ୍ଣବଙ୍କ ଦେହରେ ଆଘାତ ନଥିବା ଦର୍ଶାଇଥିବା ଡାକ୍ତର କୋର୍ଟରେ ସାକ୍ଷ୍ୟ ଦେଉଥିବା ବେଳେ ଡାକ୍ତରଙ୍କୁ ମିଛୁଆ କହି କୋର୍ଟ କାର୍ଯ୍ୟରେ ବାଧା ଦେଇଥିଲେ ଅର୍ଣ୍ଣବ ।

ଏହାପରେ କଡ଼ା ଚେତାବନୀ ଦେଇଥିଲେ ମାଜିଷ୍ଟ୍ରେଟ୍ । ଯଦି ଏପରି ଆଚରଣରୁ ନିବୃତ ନହୁଅନ୍ତି, ତେବେ ତାଙ୍କୁ କୋର୍ଟ ରୁମରୁ ବାହାର କରିବାକୁ ବାଧ୍ୟ ହେବେ ଏବଂ ତାଙ୍କ ଓକିଲଙ୍କ କଥା ଶୁଣାହେବ ବୋଲି କହିଥିଲେ । ଏହା ପରେ ଚୁପ୍ ହୋଇଥିଲେ ଅର୍ଣ୍ଣବ ଗୋସ୍ୱାମୀ ।

Comments are closed.